ପ୍ରଥା ବନ୍ଦ ହୋଇଗଲେ ବଦଳିଯିବନି ଧର୍ମ: ତିନ୍ ତଲାକ୍ ନେଇ ସରକାରଙ୍କ ଦୃଢ଼ ଯୁକ୍ତି

ନୂଆଦିଲ୍ଲୀ: ତିନ୍ ତଲାକ୍‌କୁ ଅସିଦ୍ଧ ଘୋଷଣା କଲେ ମୁସ୍‌ଲମାନ୍ ଧର୍ମ ବଦଳି ଯିବନି କି ସେମାନଙ୍କ ଧାର୍ମିକ ରୀତିନୀତି ପ୍ରଭାବିତ ହେବ ନାହିଁ। ଆଜି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏହି କଥା କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଆଟୋର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ କହିଥିଲେ ଯେ ତିନ୍ ତଲାକ୍‌ ଏକ ସଂଖ୍ୟାଗରିଷ୍ଠ ବନାମ ସଂଖ୍ୟାଲଘୁ ପ୍ରସଙ୍ଗ ନୁହେଁ। ଏହା ହେଉଛି ମୁସ୍‌ଲମାନ ସଂପ୍ରଦାୟ ମଧ୍ୟରେ  ପୁରୁଷ ବନାମ ମହିଳା ପ୍ରସଙ୍ଗ।

ଅନ୍ୟପକ୍ଷରେ ଗତକାଲି ଭଳି ଅଲ୍ ଇଣ୍ଡିଆ ମୁସ୍‌ଲିମ୍ ପର୍ସନାଲ୍ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଆଜି ମଧ୍ୟ ଏହି ମାମଲାର ବିଚାର କରିବା ନେଇ କୋର୍ଟଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛି। କାରଣ କୋର୍ଟ ବିବାହ ବିଚ୍ଛେଦକୁ ସମର୍ଥନ କରନ୍ତି। ଏଆଇଏମ୍‌ପିଏଲ୍‌ବି ଆହୁରି ମଧ୍ୟ ଯୁକ୍ତି ବାଢ଼ିଛି ଯେ ବିବାହ ବିଚ୍ଛେଦ ପାଇଁ ତତ୍‌କ୍ଷଣାତ୍ ତିନ୍ ତଲାକ୍‌ ଏକ ସର୍ବଆଦୃତ ଉପାୟ ନୁହେଁ। ମୁସ୍‌ଲମାନ ସଂପ୍ରଦାୟରେ ମାତ୍ର ୦.୪୪% ତତ୍‌କ୍ଷଣାତ୍ ତିନ୍ ତଲାକ୍ ଘଟଣା ଘଟୁଛି।

କୋର୍ଟ ଆଜି କହିଥିଲେ ଯେ ତିନ୍ ତଲାକ୍ କୋରାନ୍‌ର ଅଂଶ ବିଶେଷ ନୁହେଁ। ପରେ ଏହି ପ୍ରଥା ଆରମ୍ଭ ହୋଇଥିଲା। ଇସ୍‌ଲାମ୍ ଧର୍ମର ଅନେକ ଗୁରୁ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ତେଣୁ କାହିଁକି ଏହାକୁ ବାଦ୍ ଦିଆଯାଇପାରିବ ନାହିଁ ବୋଲି କୋର୍ଟ ପଚାରିଥିଲେ।

ଗତକାଲି ସଂଗଠନ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ତିନ୍ ତଲାକ୍ ୧୪୦୦ ବର୍ଷ ପୁରୁଣା। ରାମ୍ ଲାଲଙ୍କ ଜନ୍ମସ୍ଥଳୀ ଭଳି ଏହା ମଧ୍ୟ ଏକ ବିଶ୍ୱାସ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ଆଧାର କରି ଏଆଇଏମ୍‌ପିଏଲ୍‌ବି ଏହି ଯୁକ୍ତି ବାଢ଼ିଥିଲା। ଅଯୋଧ୍ୟା ରାମଙ୍କ ଜନ୍ମସ୍ଥାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି।