ମାନହାନି ମାମଲା: କୋର୍ଟରେ ହାଜର ହେଲେ ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ୧୦୦ କୋଟି ଟଙ୍କାର ଏକ ମାନହାନି ମାମଲାରେ ସୋମବାର କୋର୍ଟରେ ହାଜର ହୋଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ। ବିଜେପି ନେତା ହିମାନ୍ତ ବିଶ୍ୱ ଶର୍ମା ଏହି ମାନହାନି ମକଦ୍ଦମା କରିଥିଲେ।

କୋର୍ଟରେ ହାଜର ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଓ କିଛି କଂଗ୍ରେସ ବିଧାୟକ ଉପସ୍ଥିତ ଥିଲେ।

କୋର୍ଟରେ ହାଜର ହେବା ପରେ ମୁଖ୍ୟମନ୍ତ୍ରୀ ଗୋଗୋଇ କହିଥିଲେ, ଫେବ୍ରୁଆରୀ ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେତେବେଳେ ଆମେ ଆମର ପକ୍ଷ ଦାଖଲ କରିବୁ।

ସେ କହିଥିଲେ,‘ମୁଁ ଆଇନକୁ ମାନୁଥିବା ଜଣେ ନାଗରିକ। ଜଣେ ମୁଖ୍ୟମନ୍ତ୍ରୀ ଓ ଜଣେ ସାଧାରଣ ଲୋକ ମଧ୍ୟରେ କୌଣସି ତଫାତ୍ ନାହିଁ। କୋର୍ଟର ସମନ ପାଇଁ ମୁଁ ଆଜି ହାଜିର ହୋଇଥିଲି। ମୋ ବିରୁଦ୍ଧରେ ଅଭିଯୋଗ ଆସିଛି। ଆମେ ଏହା ବିରୋଧରେ ଲଢ଼ିବୁ।’

ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ବିଜେପି ନେତା ହିମାନ୍ତ ବିଶ୍ୱ ଶର୍ମାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଶର୍ମା ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ସେ କଂଗ୍ରେସରେ ଥିଲେ। ସେ ତରୁଣ ଗୋଗୋଇଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ରହିଥିଲେ।