କଶ୍ମୀର ପ୍ରସଙ୍ଗରେ କେହି ମଧ୍ୟସ୍ଥି ରହିବେ ନାହିଁ: ରାଜନାଥ

ନୂଆଦିଲ୍ଲୀ: କଶ୍ମୀର ସମସ୍ୟାର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ବା ମଧ୍ୟସ୍ଥି ରହିବେ ନାହିଁ। ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ଯଦି ତୃତୀୟ ପକ୍ଷ ମଧ୍ୟସ୍ଥତା କରିବା ପାଇଁ ନିୟୋଜିତ ହୁଅନ୍ତି ତେବେ ଏହା ସିମଲା ଚୁକ୍ତିର ଉଲ୍ଲଂଘନ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହ୍ୱାଇଟ୍ ହାଉସରେ ଭେଟଘାଟ ହୋଇଥିଲା। ଏହି ସମୟରେ ଟ୍ରମ୍ପ କହିଥିଲେ ଯେ “ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି।”
ଟ୍ରମ୍ପଙ୍କ ଏହି ବୟାନକୁ ନେଇ ଗତକାଲି ସଂସଦରେ ବିରୋଧୀ ହୋ ହାଲ୍ଲା କରିଥିଲେ। ଏହାପରେ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଟ୍ରମ୍ପଙ୍କୁ ଏ ବାବଦରେ ପ୍ରଧାନମନ୍ତ୍ରୀ ମୋଦି କେବେ କିଛି କହି ନାହାନ୍ତି। ସେହିପରି ବୈଦେଶିକ ମୁଖପାତ୍ର ରବୀଶ କୁମାର ଟ୍ୱିଟ୍ କରି କହିଥିଲେ କଶ୍ମୀର ଦୁଇ ଦେଶ ମଧ୍ୟରେ ବିବାଦ। ଏଥିରେ ତୃତୀୟ ପକ୍ଷ ପାଇଁ ପ୍ରଧାନମନ୍ତ୍ରୀ କେବେ ବି ଟ୍ରମ୍ପଙ୍କୁ ଏପରି କହି ନାହାନ୍ତି।