ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ଘଟଣା: କେଜ୍ରିୱାଲଙ୍କ ପରାମର୍ଶଦାତା ବିକେ ଜେନ୍‌ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କେଜ୍ରିୱାଲ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ହେବାରେ ଲାଗିଛି। ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଜେଜ୍ରିୱାଲଙ୍କ ଘରେ ମାଡ଼ ମରାଯିବା ଘଟଣାରେ ଗତରାତିରେ ଜଣେ ବିଧାୟକ ଗିରଫ ହୋଇଥିଲେ। ଆଜି ଭୋରୁ ଏହି ଘଟଣାରେ ଦିଲ୍ଲୀ ପୋଲିସ୍‌ କେଜ୍ରିୱାଲଙ୍କ ପରାମର୍ଶଦାତା ବିକେ ଜେନ୍‌ଙ୍କୁ ଗିରଫ କରି ନେଇଛି। ଜେନ୍‌ ଅଂଶୁଙ୍କୁ ଫୋନ୍‌ କରି କେଜ୍ରିୱାଲଙ୍କ ଘରକୁ ବୈଠକରେ ଯୋଗ ଦେବାକୁ ଡକାଇଥିଲେ। ଯେଉଁଠାରେ ଅଂଶୁଙ୍କୁ କେଜ୍ରିୱାଲଙ୍କ ଦୁଇଜଣ ବିଧାୟକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଅଂଶୁ ଦାଖଲ କରିଥିବା ଏଫ୍‌ଆଇଆରରେ ବିକେ ଜେନ୍‌ଙ୍କ ନାଁ ରହିଛି। ଦିଲ୍ଲୀ ଉପଜିଲ୍ଲାପାଳ ଅନୀଲ ବୋଜଲ ଆଜି ଏହି ଘଟଣାର ରିପୋର୍ଟ ଗୃହମନ୍ତ୍ରାଳୟକୁ ଦେଇପାରନ୍ତି। ଅନ୍ୟପକ୍ଷରେ ଆଇଏଏସ୍‌ ଅଧିକାରୀମାନେ ଦିଲ୍ଲୀ ସରକାରଙ୍କ କୌଣସି ମନ୍ତ୍ରୀଙ୍କ ବୈଠକରେ ସାମିଲ ନହେବାକୁ ଚେତାବନୀ ଦେଇଛନ୍ତି।

ଏହି ଘଟଣାରେ ଦିଲ୍ଲୀ ପୋଲିସ୍‌ ଆପ ବିଧାୟକ ଅମାନୁତୁଲ୍ଲା ଖାନ୍‌ଙ୍କୁ ଖୋଜୁଛି। ଏଫ୍‌ଆଇଆରରେ ଅମାନୁତୁଲ୍ଲାଙ୍କ ନାଁ ରହିଛି।

ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣାରେ ପୋଲିସ୍‌ ଦୁଇଟି ମାମଲା ରୁଜୁ କରିଛି। ଗୋଟିଏ ଅଂଶୁଙ୍କ ଅଭିଯୋଗ ଆଧାରରେ ହୋଇଥିବା ବେଳେ ଅନ୍ୟ ମାମଲାଟି ମନ୍ତ୍ରୀ ଇମରାନ୍‌ ହୁସେନ୍‌ଙ୍କ ଅଭିଯୋଗକୁ ଆଧାର କରି ରୁଜୁ କରାଯାଇଛି। ଦୁଇଟି ମାମଲାର ତଦନ୍ତ ପାଇଁ ପୋଲିସ୍‌ ଦୁଇଟି ଟିମ୍‌ ଗଠନ କରିଛି।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାରେ ଦିଲ୍ଲୀ ପୋଲିସ୍‌ ବିଧାୟକ ପ୍ରକାଶ ଜାରୱାଲଙ୍କୁ ଗିରଫ କରି ନେଇଥିଲା। ପ୍ରକାଶ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଗତକାଲି ରାତିରେ କେଜ୍ରିୱାଲଙ୍କ ଘରେ ଏକ ବୈଠକ ଡକାଯାଇଥିଲା। ଏଥିରେ ଯୋଗଦେବାକୁ କେଜ୍ରିୱାଲଙ୍କ ପରାମର୍ଶଦାତା ବିକେ ଜେନ୍‌ ଫୋନ୍‌ କରି ଅଂଶୁଙ୍କୁ ଡାକିଥିଲେ। ବୈଠକରେ କୌଣସି କାରଣକୁ ନେଇ ଦୁଇଜଣ ବିଧାୟକ ଅଂଶୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।