ଆପରୁ ବିଦା ହୋଇ ପାରନ୍ତି କୁମାର ବିଶ୍ୱାସ: ଆଶଙ୍କା ପ୍ରକାଶ କଲେ କପିଲ ମିଶ୍ରା

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ନିଲମ୍ୱିତ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା କୁମାର ବିଶ୍ୱାସଙ୍କୁ ଦଳରୁ ବହିଷ୍କାର କରାଯାଇପାରେ। ଏପରିକ ଆଶଙ୍କା ପ୍ରକାଶ କରିଛନ୍ତି ଆପ୍‌ର ପୂର୍ବତନ ମନ୍ତ୍ରୀ ତଥା ଦଳରୁ ବହିଷ୍କୃତ ହୋଇଥିବା କପିଲ ମିଶ୍ରା।

ଗତ ୨୧ ତାରିଖରେ ଆମ୍ ଆଦ୍‌ମୀ ପାର୍ଟିର ଏକ ବୈଠକ ପଞ୍ଚାବିବାଗ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୁମାର ବିଶ୍ୱାସ ମଧ୍ୟ ଯୋଗଦେବାର ଥିଲା। ହେଲେ କୌଣସି କାରଣରୁ ବିଶ୍ୱାସ ବୈଠକକୁ ଆସି ନ ଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

କପିଲ କହିଛନ୍ତି,“ମହାଭାରତରେ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ସହ ଯେମିତି ସମ୍ପର୍କ ନିଭାଇ ଥିଲେ କୁମାର ବିଶ୍ୱାସ ଏବେ ସେପରି ସମ୍ପର୍କ ନିଭାଉଛନ୍ତି। ଆପ୍‌ ହେଉଛି ସେହି ଦୁର୍ଯ୍ୟୋଧନ ଯିଏ କର୍ଣ୍ଣ (କୁମାର ବିଶ୍ୱାସ)ଙ୍କୁ ରାସ୍ତାରୁ ହଟାଇ ଦେବ। ଏମାନେ କୁମାର ବିଶ୍ୱାସଙ୍କୁ ମଧ୍ୟ ଛାଡିବେ ନାହିଁ।”