ଅନ୍ଧାର ରାତିରେ ମୁଣ୍ଡରେ ବାଜିଲା ଗୁଳି, ୧୫ଘଣ୍ଟା ପରେ ଜଣା ପଡିଲା ସତ, କେମିତି ବଂଚିଲେ ସୁରଜ

ଦିଲ୍ଲୀ: ରଖେ ହରି ତ ମାରେ କିଏ। ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଦିଲ୍ଲୀର ୨୬ ବର୍ଷିୟ ସୁରଜ ପ୍ରକାଶ ଶର୍ମା। ମୃତ୍ୟୁ ସାଙ୍ଗରେ ଲଢେଇ କରି ସେ ଫେରି ପାଇଛନ୍ତି ନୂଆ ଜୀବନ। କାରଣ ବନ୍ଧୁକର ଗୁଳି ନେଇ ପାରି ନ ଥିଲା ସୁରଜଙ୍କ ଜୀବନ। ଏହିଭଳି ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣା ଘଟିଛି ସୁରଜଙ୍କ କ୍ଷେତ୍ରରେ।

ଭଗବାନଙ୍କ କୃପାରୁ ଏକ ନୂଆ ଜୀବନ ଫେରି ପାଇଛିନ୍ତି ସୁରଜ। ମୁଣ୍ଡରେ ଗୁଳି ବାଜିବା ପରେ ମଧ୍ୟ ସେ ବର୍ତ୍ତି ଯାଇଛନ୍ତି। ମଙ୍ଗଳବାର ରାତିରେ ସୁରଜ ନିଜ ଭାଇଙ୍କ ସହ ମିଶି କୌଣସି ଏକ କାମରେ ବାହାରକୁ ଯାଇଥିଲେ। ଅଧା ବାଟରେ ଏକ ଗଛ ମୂଳରେ ସୁରଜ ପରିସ୍ରା କରୁଥିବା ବେଳେ କିଛି ଗୋଟିଏ ଜିନିଷ ମୁଣ୍ଡରେ ବାଜିବା ଭଳି ଅନୁଭବ କରିଥିଲେ। କିଛି ସମୟ ପାଇଁ ବୁଦ୍ଧି ହଜି ଯାଇଥିଲା ସୁରଜଙ୍କର। କିଛି ବୁଝିବା ପୂର୍ବରୁ ମୁଣ୍ଡ ପାଖରୁ ପ୍ରବଳ ରକ୍ତ ବାହାରିଥିଲା ଓ ସେ ଚେତା ଶୂନ୍ୟ ହୋଇଯାଇଥିଲେ।

delhi fire 2ତତ୍‌କ୍ଷଣାତ ସୁରଜଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ ତାଙ୍କ ଭାଇ ନିରଜ। ଡାକ୍ତର ସୁରଜଙ୍କ ମୁଣ୍ଡରେ ହୋଇଥିବା କ୍ଷତ ସ୍ଥାନକୁ ଭଲ ଭାବେ ଡ୍ରେସିଂ କରିଥିଲେ। ପରଦିନ ସକାଳେ ମୁଣ୍ଡର ଏକ୍ସ-ରେ କରିବା ପାଇଁ ମଧ୍ୟ କରିଥିଲେ। ଦୁଇ ଭାଇ ଘରକୁ ଫେରିବା ପରେ ରାତିରେ ପ୍ରବଳ ଯନ୍ତ୍ରଣା ସହ ଆରମ୍ଭ ହୋଇଥିଲା ସୁରଜଙ୍କ ମୁଣ୍ଡବିନ୍ଧା। ତେବେ ସକାଳ ହେବା ମାତ୍ରେ ହସ୍ପିଟାଲ ଯାଇ ସୁରଜ ନିଜ ମୁଣ୍ଡର ଏକ୍ସ-ରେ କରିଥିଲେ। ରିପୋର୍ଟ ଆସିବା ପରେ ଡାକ୍ତର ମଧ୍ୟ ଜାଣି ପାରି ନ ଥିଲେ ପ୍ରକୃତ ଘଟଣା। ତେଣୁ ସେ ବଡ଼ ମେଡିକାଲକୁ ସୁରଜଙ୍କୁ ନେବା ପାଇଁ କହିଥିଲେ ନିରଜଙ୍କୁ।

ଏହା ଭିତରେ ବିତି ସାରିଥିଲା ୧୫ ଘଣ୍ଟା। ଯନ୍ତ୍ରଣାରେ ଛଟପଟ ହେଉଥିବା ସୁରଜଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରି ସିଟି ସ୍କାନ କରିବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ସିଟି ସ୍କାନ ରିପୋର୍ଟ ଅନୁଯାୟୀ ୧.୫ ସେ.ମିର ଏକ ବୁଲେଟ ରହିଥିଲା ତାଙ୍କ ମେରୁଦଣ୍ଡର ଉପର ଭାଗ ମସ୍ତିଷ୍କ ପାଖରେ। ରିପୋର୍ଟ ଦେଖି ଡାକ୍ତର ମଧ୍ୟ ଚକିତ ହୋଇ ଯାଇଥିଲେ। କାରଣ ଗୁଳିଟି ମସ୍ତିଷ୍କର ଠିକ୍ ତଳକୁ ବାଜିଥିଲା। ଏହି ସ୍ଥାନରେ ଆଘାତ ହେଲେ ମଣିଷ ପାରାଲାଇଜଡ୍ ହୋଇ ଯାଇଥାଏ। ଏପରିକି ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ। ତେବେ ସୁରଜଙ୍କ ବଞ୍ଚିବା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ସୁରଜଙ୍କୁ ଭାଗ୍ୟବାନ ବୋଲି କହିଛନ୍ତି ଡାକ୍ତର।