ଲାଞ୍ଚ ମାଗି ୪ ବର୍ଷ ପାଇଁ ଜେଲ୍ ଗଲେ ଦିଲ୍ଲୀ ମ୍ୟୁନିସିପାଲିଟି ଅଧିକାରୀ

ନୂଆଦିଲ୍ଲୀ: ଲାଞ୍ଚ ମାଗି ଜେଲ୍ ଗଲେ ଦିଲ୍ଲୀ ନଗରପାଳିକାର ଲାଞ୍ଚୁଆ ଅଧିକାରୀ ସଞ୍ଜୀବ କୁମାର। ପ୍ରମୋସନ କରାଇଦେବା ପାଇଁ ନିଜ ସହଯୋଗୀଙ୍କ ପାଖରୁ ଲାଞ୍ଚ ମାଗିଥିବା ସଞ୍ଜୀବଙ୍କ ନାମରେ ଅଭିଯୋଗ ହୋଇଥିଲା। ଆଜି ଏହି ମାମଲାର ବିଚାର କରି ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୪ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ସରକାରୀ କର୍ମଚାରୀ ଭାବରେ ଲାଞ୍ଚ ମାଗିବାର ଅପରାଧ କରିବା ସହିତ ନିଜ ପଦର ଅପବ୍ୟବହାର କରିଥିବା ଦର୍ଶାଇ ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଷ୍ଟିସ ଅନୀଲ କୁମାର ସିଶୋଦିଆ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୪୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ମସିହାରେ ଦିଲ୍ଲୀର ଉତ୍ତର ନଗରପାଳିକାରେ ଥିବା ବିଲ୍ କିରାଣୀ ସୁନୀଲଙ୍କୁ ଇନସପେକ୍ଟର କରାଇଦେବେ ବୋଲି କହି ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆସିଷ୍ଟାଣ୍ଟ କମିଶନର ସଞ୍ଜୀଭ କୁମାର। ଏହାପରେ ସୁନୀଲଙ୍କୁ ଅଫିସ କାର୍ଯ୍ୟରେ ନିର୍ଯାତନା ଦେଇଥିବା ସୁନୀଲ ଅଭିଯୋଗ କରିଥିଲେ। ଏହାପରେ ସିବିଆଇରେ ମାମଲା ଦାୟର ହୋଇଥିଲା। ଏହାପରେ ପୂର୍ବ ଯୋଜନା ଅନୁଯାୟୀ ସୁନୀଲ ସଞ୍ଜୀଭଙ୍କୁ ଲାଞ୍ଚ ଦେଉଥିବା ବେଳେ ସିବିଆଇ ଧରିଥିଲା।