ଦିଲ୍ଲୀରେ ଗାଡ଼ି ଚଳାଚଳ ନେଇ ଯୁଗ୍ମ-ଅଯୁଗ୍ମ ଫର୍ମୁଲାର ବ୍ଲୁପ୍ରିଣ୍ଟକୁ ସାର୍ବଜନୀନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରିବା ନେଇ ଆପ୍ ସରକାର ପ୍ରସ୍ତୁତ କରିଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲାର ବ୍ଲୁପ୍ରିଣ୍ଟକୁ ଗୁରୁବାର ସାର୍ବଜନୀନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ସୋମାବର ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟକାରୀ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯିବ। ଜାନୁଆରୀ ୧ରୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ଫର୍ମୁଲାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ନିୟମ ଭାଙ୍ଗିଲେ ଲୋକଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ।

କେଜ୍ରିୱାଲ୍ କହିଛନ୍ତି, ସିଏନଜି ଗାଡ଼ିଗୁଡ଼ିକ ଉପରେ ଏହି ନିୟମ ଲାଗୁ ହେବ ନାହିଁ। ତେବେ ଏଥିପାଇଁ ସିଏନଜି ଗାଡ଼ିଗୁଡ଼ିକୁ ଷ୍ଟିକର ଲଗାଇବାକୁ ହେବ। ସେହିଭଳି ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ, ରାଜ୍ୟସଭା ଉପାଧ୍ୟକ୍ଷ, କେନ୍ଦ୍ର ମନ୍ତ୍ରୀ, ସଂସଦର ଉଭୟ ଗୃହର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ବିଚାରପତି ଓ ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଗାଡ଼ିଗୁଡ଼ିକୁ ଏହି ନିୟମ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଆମ୍ବୁଲାନ୍ସ, ଦମକଳ ଗାଡ଼ି, ପୋଲିସ୍, ଟ୍ରାନ୍ସପୋର୍ଟ ପୋଲିସ୍, ଅର୍ଦ୍ଧସାମରିକ ବାହିନୀର ଗାଡ଼ିଗୁଡ଼ିକୁ ଏହି ନିୟମ ବାହାରେ ରଖାଯିବ। ଦୁଇ ଚକିଆ ଗାଡ଼ିଗୁଡ଼ିକୁ ମଧ୍ୟ ଏହି ନିୟମର ଅନ୍ତର୍ଭୁକ୍ତ କରାଯାଇ ନାହିଁ। କିନ୍ତୁ ଏହି ନିୟମର ପରୀକ୍ଷାମୂଳକ କାର୍ଯ୍ୟକାରିତା ସଫଳ ହେଲେ ପରବର୍ତ୍ତୀ ସମୟରେ ଦୁଇ ଚକିଆ ଗାଡ଼ି ପାଇଁ ମଧ୍ୟ ଏ ନିୟମକୁ କାର୍ଯ୍ୟକାରୀ କରାଯିବ।

କେଜ୍ରିୱାଲ୍ କହିଛନ୍ତି, ସୋମବାରଠାରୁ ଶନିବାର ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ। ତେବେ ରବିବାର ଦିନ ଏହି ଫର୍ମୁଲା କୌଣସି ଗାଡ଼ି ପାଇଁ ଲାଗୁ କରାଯିବ ନାହିଁ।

ଆଜି ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ୧୯ ଲକ୍ଷ ବ୍ୟକ୍ତିଗତ ଗାଡ଼ି ରହିଛି। ତାଙ୍କର ଏହି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଯୋଗୁଁ ଦୈନିକ ୧୦ ଲକ୍ଷ ଗାଡ଼ିର ଚଳାଚଳ ଉପରେ ରୋକ ଲାଗିବ। ଫଳରେ କେବଳ ଟ୍ରାଫିକ୍ ଜାମ୍ କମ୍ ହେବ ନାହିଁ, ପ୍ରଦୂଷଣକୁ କମ୍ କରିବାରେ ବି ଏହା ସହାୟକ ହେବ। ଏଥିପାଇଁ ସେ ଦିଲ୍ଲୀବାସୀଙ୍କ ସହଯୋଗ କାମନା କରିଛନ୍ତି।

ଏହା ପୂର୍ବରୁ କେଜ୍ରିୱାଲଙ୍କ ସରକାର ଘୋଷଣା କରିଥିଲେ ଯେ ଜାନୁଆରୀ ୧ରୁ ଯୁଗ୍ମ-ଅଯୁଗ୍ମ ନମ୍ବରରେ ପଞ୍ଜୀକୃତ ହୋଇଥିବା ଘରୋଇ ଗାଡ଼ିଗୁଡ଼ିକୁ ପାଳି କରି ଗୋଟିଏ ଗୋଟିଏ ଦିନ ଚାଲିବାକୁ ଅନୁମତି ଦିଆଯିବ। ଅର୍ଥାତ ଯଦି ଜାନୁଆରୀ ୧ରେ ଯୁଗ୍ମ ନମ୍ବର ଯୁକ୍ତ ଗାଡ଼ିଗୁଡ଼ିକ ଚାଲିବ ତା’ହେଲେ ସେହିଦିନ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ବନ୍ଦ ରହିବ। ତା’ପର ଦିନ ଅଯୁଗ୍ମ ଗାଡ଼ିଗୁଡ଼ିକ ଚାଲିବ ଓ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ବନ୍ଦ ରହିବ।