ସିଏଏ ନିଆଁରେ ଜଳିଗଲା ଚାରୋଟି ବସ୍

ନୂଆଦିଲ୍ଲୀ: ଆସାମରେ ନାଗରିକ ସଂଶୋଧନ ଆଇନ୍ (ସିଏଏ)କୁ ନେଇ ସ୍ଥିତି ପ୍ରଶମିତ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଏହାର ନିଆଁ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ମାନେ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀରେ ଥିବା ତିନୋଟି ବସ୍ ଏବଂ କିଛି ବାଇକରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାସ୍ଥଳରେ ୪ଟି ଦମକଳବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରାସ୍ତା ଜାମ ହେବା ଫଳରେ ଯାତାୟତ ସେବା ପ୍ରଭାବିତ ହୋଇଛି।

ସେହିପରି ଭରତ ନଗରରେ ଥିବା ଦିଲ୍ଲୀ ଟ୍ରାନସପୋର୍ଟ କର୍ପୋରେସନର ଏକ ବସରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ। ପାଖରେ ଥିବା ଏକ କାର ମଧ୍ୟ ପୋଡ଼ି ହୋଇଯାଇଛି। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଛି। ନିଆଁ ଲିଭାଇବା ବେଳେ ଦୁଇ ଜଣ ଅଗ୍ନିଶମ ଅଧିକାରୀ ଆହତ ହୋଇଛନ୍ତି।

ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନକାରୀ ମାନେ ଜାମିୟାନଗରରୁ ଆଖୋଳ ପର୍ଯ୍ୟନ୍ତ ଏକ ରାଲି କରିଛନ୍ତି। ଏହି ରାଲିରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସାମିଲ୍ ହୋଇଛନ୍ତି। ରାଲି ବେଳେ ପୁଲିସ ସହ ଆନ୍ଦୋଳନକାରୀଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାପରେ ଆନ୍ଦୋଳନକାରୀ ମାନେ ବସରେ ନିଆଁ ଲଗାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପଟେ ସେଣ୍ଚ୍ରାଲ ଦିଲ୍ଲୀର ଜନ୍ତର ମନ୍ତରରେ ପୂର୍ବାଞ୍ଚଳର ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଛନ୍ତି।

ହାତରେ ପ୍ଲାକାର୍ଡ ଧରି ଆନ୍ଦୋଳନକାରୀ ଏହି ସିଏଏ ଆଇନକୁ ଫେରାଇ ନେବା ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି। ଅନ୍ୟପଟେ ଟ୍ରାଫିକ ପୁଲିସ ଅଖୋଳା ବାଇବାସରୁ ସରିତା ବିହାର ଯିବା ରାସ୍ତାରେ ଯାତାୟାତ ସେବା ଉପରେ ରୋକ୍ ଲଗାଇଛି। ରାସ୍ତାକୁ ନ ଆସିବା ପାଇଁ ଲୋକଙ୍କୁ ନିବେଦନ କରିଛି ଦିଲ୍ଲୀ ଟ୍ରାଫିକ ପୁଲିସ୍।