ବାହା ହେବାକୁ ରାଜି ହେଲେନି ବୋଲି ମଡେଲ ବନ୍ଧୁ ପତ୍ନୀଙ୍କୁ ହତ୍ୟା କଲେ ମେଜର

ନୂଆଦିଲ୍ଲୀ: ପ୍ରେମ ପାଇଁ ଦିଲ୍ଲୀରେ ଜଣେ ସେନା ଅଧିକାରୀଙ୍କ ବର୍ବରକାଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ନିଜେ ଜଣେ ଭାରତୀୟ ସେନାର ମେଜର ହୋଇ ଅନ୍ୟ ଜଣେ ମେଜରଙ୍କ ପତ୍ନୀ ତଥା ମଡେଲଙ୍କୁ ହତ୍ୟା ଘଟଣା ଚହଳ ପକାଇଦେଇଛି ସବୁଠି।  ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଆର୍ମି ମେଜରଙ୍କ ପତ୍ନୀ ତଥା ମଡେଲ୍ ଶୈଳଜା ଦ୍ୱିବେଦୀଙ୍କୁ ମିରଟ୍ କ୍ୟାଣ୍ଟନମେଣ୍ଟର ମେଜର ନିଖିଲ୍ ହଣ୍ଡା ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ ।

ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ୍ କରିବା ପରେ ତାଙ୍କ ଦିୱାନା ଥିବା  ସେନା ଅଧିକାରୀ ନିଖିଲ ତାଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ପୋଲିସ ଅଭିଯୁକ୍ତ ନିଖିଲ୍ ହଣ୍ଡାକୁ ଗିରଫ କରିବା ସହ ୪ ଦିନ ପାଇଁ ନିଜ ହେପାଜତକୁ ନେଇଛି ।

ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ରୁସ୍ତମରେ ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି ଜଣଙ୍କ ଜୀବନ ନେଇ ଯାଇଥିଲେ ଜଣେ ସେନା ଅଧିକାରୀ । ରିଲ୍‌ର ଏହି ଷ୍ଟୋରି ରିଅଲ ଲାଇଫରେ ବି ଦେଖିବାକୁ ମିଳିଛି। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ ।

ହେଲେ ଏଠି କିନ୍ତୁ ଚିତ୍ର ଟିକେ ଅଲଗା। ବିବାହ ପାଇଁ ରାଜି ନ ହେବାରୁ ଜଣେ ଅଧିକାରୀଙ୍କ ମଡେଲ୍ ପତ୍ନୀଙ୍କୁ ଅନ୍ୟ ଜଣେ ସେନା ଅଧିକାରୀ କରିଛନ୍ତି ହତ୍ୟା।

ମିସ୍ ଇଣ୍ଡିଆ ଆର୍ଥର ଫାଇନାଲିଷ୍ଟ ତଥା ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କୁ ହତ୍ୟା କରିଛନ୍ତି ମେଜର ନିଖିଲ୍ ହାଣ୍ଡା । ଅମିତ ଦ୍ୱିବେଦୀ ଏବଂ ନିଖିଲ ହାଣ୍ଡା ନାଗାଲ୍ୟାଣ୍ଡର ଦିମାପୁରରେ ଏକାଠି ଚାକିରି କରୁଥିଲେ । ପରେ ଦିଲ୍ଲୀକୁ ବଦଳି ହୋଇ ଆସିଥିଲେ ମେଜର ଅମିତ । କିନ୍ତୁ ଶୈଳଜାଙ୍କୁ ଭୁଲି ପାରି ନ ଥିଲେ ନିଖିଲ। ଅନେକ ଥର ଶୈଳଜାଙ୍କ ସହ ଫୋନ୍‌ରେ କଥା ହୋଇ ନିଖିଲ ପଡ଼ିଯାଇଥିଲେ ପ୍ରେମରେ । ଏପରିକି ଶୈଳଜାଙ୍କୁ ବିବାହ ପାଇଁ ବି ପ୍ରସ୍ତାବ ଦେଇଥିଲେ । ଶେଷରେ ବିଫଳ ହେବାରୁ ଦିଲ୍ଲୀ ଆସି ଶୈଳଜାଙ୍କୁ ହତ୍ୟା କରିଥିଲେ ନିଖିଲ୍ ।

ଏମିତି ଥିଲା ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ

ଶନିବାର ସକାଳ ପ୍ରାୟ ୮ଟା । ଆର୍ମି ବେସ୍ ହସ୍ପିଟାଲ୍‌କୁ ଫିଜିଓଥେରାପି ପାଇଁ ଯାଇଥିବା ବେଳେ ଶୈଳଜାଙ୍କ ସହ ଦେଖାହେଲେ ନିଖିଲ। ଏହାପରେ ନିଜର ହୋଣ୍ଡାସିଟିରେ ଶୈଳଜାଙ୍କୁ ଧରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଭିମୁଖେ ବାହାରିଥିଲେ। ଶନିବାର ଅପରାହ୍ନ ପ୍ରାୟ ଗୋଟାଏ । କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଏକ ରାସ୍ତାକଡ଼ରେ କାର୍ ରଖି ଛୁରୀରେ ଶୈଳଜାଙ୍କ ବେକକୁ କାଟିଦେଲେ ନିଖିଲ୍ । ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ କାର୍ ଚଢ଼ାଇଦେଇଥିଲେ । କିନ୍ତୁ ଘଟଣାର କୌଣସି ସାକ୍ଷୀ କିମ୍ବା ପ୍ରମାଣ ନ ଥିବାରୁ ନିଖିଲଙ୍କୁ ତୁରନ୍ତ ଧରିପାରି ନ ଥିଲା ପୋଲିସ ।

କେମିତି ମିଳିଲା ଖିଅ

ଶେଷରେ ଶୈଳଜାଙ୍କ ସ୍ୱାମୀଙ୍କଠାରୁ ପୋଲିସ୍ ତଥ୍ୟ ସଂଗ୍ରହ କରିଥିଲା। ନିଖିଲଙ୍କ କଲ୍ ରେକର୍ଡ ଏବଂ ବିଭିନ୍ନ ସିସିଟିଭିକୁ ଯାଞ୍ଚ କରିବା ସହ ଏକାଧିକ ଗେଷ୍ଟ ହାଉସରେ ଚଢ଼ାଉ କରିଥିଲା ପୋଲିସ । ଶେଷରେ ମିରଟ୍ କ୍ୟାଣ୍ଟନମେଣ୍ଟରୁ ଗତକାଲି ସକାଳେ ନିଖିଲଙ୍କୁ ପୋଲିସ ଗିରଫ କରିଥିଲା ।