ସ୍କୁଲ ଟଏଲେଟରେ ପୁଣି ଗଲା ଛାତ୍ରଙ୍କ ଜୀବନ, ଅଭିଭାବକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ:  ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରେ ଘଟୁଥିବା ଗୋଟିକ ପରେ ଗୋଟିକ ଘଟଣା ଅଭିଭାବକଙ୍କୁ ସ୍ତବ୍ଧ କରିଛି ରାଜଧାନୀ ଦିଲ୍ଲୀରେ। ଶୁକ୍ରବାର ଏକ ଘରୋଇ ସ୍କୁଲରେ ଥିବା ଟଏଲେଟରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ଛାତ୍ର ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମାମଲାର ତଦନ୍ତ କରୁଛି ପୋଲିସ। ରିଆନ ସ୍କୁଲ ଛାତ୍ରମୃତ୍ୟୁ ଏବଂ ଆଜିର ଘଟଣା ପରେ ଛାତ୍ରଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ଗୁରଗ୍ରାମ ରିଆନ୍ ସ୍କୁଲ ପରେ ଉତ୍ତରପୂର୍ବ ଦିଲ୍ଲୀରେ କାରୱାଲା ନଗର ଜୀବନ ଜ୍ୟୋତି ସ୍କୁଲରେ ଗୁରୁବାର ଘଟିଛି ଏହି ଅଘଟଣ।  ହଠାତ୍ ଛାତ୍ର ତୁଷାରକୁମାରଙ୍କ ପରିବାରକୁ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଆସିଥିଲା ଫୋନ୍ କଲ୍ । ଗୁରୁତର ଅବସ୍ଥାରେ ତୁଷାରଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।  ତେବେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ସ୍କୁଲକୁ ଘେରାଉ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ମୃତ ଛାତ୍ରଙ୍କ ପରିବାର ଲୋକେ ତଥା ଅନ୍ୟ ଅଭିଭାବକ ।