ବିମୁଦ୍ରିକରଣକୁ ୩ ବର୍ଷ: ସଡ଼କରେ ବିରେଧୀ, ମୋଦି ସରକାର ଓ ବିଜେପି ଚୁପ୍

ନୂଆଦିଲ୍ଲୀ: ଆଜି ୮ ନଭେମ୍ୱର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ରେ ଆଜିର ତାରିଖରେ ବିମୁଦ୍ରିକରଣ ଘୋଷଣା କରିଥିଲେ। ବିମୁଦ୍ରିକରଣକୁ ନେଇ ଆଜି ବିରୋଧୀ ଶାସକ ଦଳ ଉପରେ ଜୋରଦାର ବର୍ଷିଛନ୍ତି। ଆଜି ଏ ନେଇ କଂଗ୍ରେସ ସଡ଼କକୁ ଓହ୍ଲାଇ ସରକାର ବିରୋଧରେ ବର୍ଷିଛି। ଅନ୍ୟପଟେ ମୋଦି ସରକାରର ମନ୍ତ୍ରୀ ଓ ବିଜେପି ନିରବ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ କୌଣସି ପ୍ରତିକ୍ରିୟା କିମ୍ୱା ଟୁଇଟ୍ କରି ନାହାନ୍ତି। ଏମିତିକି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏବାବଦରେ କୌଣସି ଟୁଇଟ୍ ମଧ୍ୟ କରି ନାହାନ୍ତି। କଂଗ୍ରେସ, ଟିଏମସି, ବିଏସପି, ସମାଜବାଦୀ ପାର୍ଟି ଆଜି କିନ୍ତୁ ସରକାର ବିରୋଧରେ ବର୍ଷିଛନ୍ତି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ‘ବିମୁଦ୍ରିକରଣର ଆତଙ୍କୀ ଆକ୍ରମଣ ଦେଶର ଅର୍ଥବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ବିମୁଦ୍ରିକରଣ ପାଇଁ ଦେଶର ଅନେକ ଛୋଟ ବଡ଼ ବ୍ୟବସାୟୀ ନଷ୍ଟ ହୋଇଯାଇଛି। ବେରୋଜଗାର ମଧ୍ୟ ବଢ଼ିଛି। ସରକାରଙ୍କ ଏହି ପଦକ୍ଷେପ ପାଇଁ ଅନେକ ପ୍ରାଣ ହରାଇଛନ୍ତି। ଯେଉଁମାନେ ବିମୁଦ୍ରିକରଣ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର’।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ସରକାରଙ୍କ ବିମୁଦ୍ରିକରଣ ପଦକ୍ଷେପକୁ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି। ସେହିପରି ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି, ବିନା ପ୍ରସ୍ତୁତିରେ ବିମୁଦ୍ରିକରଣ ପଦକ୍ଷେପ ନିଆଯାଇଥିଲା। ଏହା ଅପରିପକ୍ୱର ପରିଚୟ ବୋଲି ମାୟାବତୀ କହିଛନ୍ତି। ଦେଶରେ ଦେଖାଦେଇଥିବା ଅର୍ଥବ୍ୟବସ୍ଥା ପାଇଁ ବିମୁଦ୍ରିକରଣ ଦାୟୀ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିମୁଦ୍ରିକରଣ ପରେ ନକଲି ନୋଟ ପ୍ରଚଳନ ଉପରେ ଅନେକ ମାତ୍ରାରେ ରୋକ୍ ଲାଗିଛି । ଜାତୀୟ ଅପରାଧ ବ୍ୟୁରୋ କହିଛି, ନକଲି ନୋଟ ପ୍ରଚଳନ ରୋକିବାରେ ନୋଟବନ୍ଦୀ ସଫଳ ହୋଇଛି।