ବିନ୍ଦି ପିନ୍ଧିଲେ ବୋଲି ନୁସରତ୍‌ଙ୍କ ନାମରେ ଫତ୍‌ୱା

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିରେ ପାଦ ଥାପିଥିବା ଏବଂ ପରେ ଟିଏମ୍‌ସି ଟିକେଟ୍‌ରେ ସାଂସଦ ହୋଇଥିବା ନୁସରତ୍‌ ଜହାନ୍‌ଙ୍କ ବାହାଘରକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ଦେଓବନ୍ଦର ମୌଲାନା ଫତ୍‌ୱା ଜାରି କରି କହିଛନ୍ତି, ଜଣେ ମୁସଲିମ୍‌ ଯୁବତୀ କେବଳ ଜଣେ ମୁସଲିମ୍‌ ଯୁବକଙ୍କୁ ହିଁ ବିବାହ କରିପାରିବ। ଅନ୍ୟପକ୍ଷରେ ବିଜେପି ନେତା ସାଧ୍ୱୀ ପ୍ରାଚୀ ନୁସରତ୍‌ଙ୍କ ସମର୍ଥନରେ ବାହାରିଛନ୍ତି।

ମୌଲାନା ମୁଫ୍‌ତି ଅସାଦ୍‌ ୱାସ୍‌ମି କହିଛନ୍ତି, “ତଦନ୍ତ ପରେ ଜାଣିବାକୁ ପାଇଲୁ ସେ ଜଣେ ଜୈନ ଧର୍ମାବଲମ୍ବୀଙ୍କୁ ବିବାହ କରିଛନ୍ତି। ଇସଲାମ୍‌ ଅନୁଯାୟୀ ମୁସଲିମ୍‌ ଯୁବତୀ କେବଳ ଜଣେ ମୁସଲିମ୍‌ ଯୁବକଙ୍କୁ ବିବାହ କରିପାରିବ। ନୁସରତ୍‌ ଜଣେ ଅଭିନେତ୍ରୀ, ତେବେ ମୁଁ କହିବାକୁ ଚାହେଁ ଯେ, ଅଭିନେତା-ଅଭିନେତ୍ରୀମାନେ ଧର୍ମକୁ ଖାତିର କରୁନାହାନ୍ତି। ସେମାନେ ଯାହା ଭାବନ୍ତି ତାହା କରନ୍ତି, ଏହା ସଂସଦରେ ମଧ୍ୟ ପ୍ରତିଫଳିତ ହେଉଛି।” ୱାସ୍‌ମୀ କହିଛନ୍ତି, ସେ ସଂସଦକୁ ବିନ୍ଦି ଏବଂ ମଙ୍ଗଳସୂତ୍ର ପିନ୍ଧି ଆସିଥିଲେ। ତେଣୁ ଏ ବିଷୟରେ ଅଧିକ କଥା ହେବା ସମୟ ନଷ୍ଟ କରିବା ସହ ସମାନ।

ଅନ୍ୟପକ୍ଷରେ ସାଧ୍ୱୀ ପ୍ରାଚୀ କହିଛନ୍ତି, ଯଦି ଜଣେ ମୁସଲିମ୍‌ ଯୁବତୀ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରି ବିନ୍ଦି ଏବଂ ମଙ୍ଗଳସୂତ୍ର ପିନ୍ଧିବାକୁ ମୁସଲିମ୍‌ ମୌଲାନା ହାରାମ୍‌ କହୁଛନ୍ତି। ତାଙ୍କର ଏପରି ବୌଦ୍ଧିକ ବିଚାରଧାରା ବାବଦରେ ମୋତେ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ, ହିନ୍ଦୁ ଯୁବତୀଙ୍କୁ ଫସାଇ ଲଭ୍‌ ଜିହାଦ୍ କରି ବୁର୍ଖା ପିନ୍ଧିବାକୁ ବାଧ୍ୟ କରିବା କ’ଣ ହାରାମ୍‌ ନୁହେଁ?”