ଭାରତୀୟଙ୍କ ସ୍ୱିସ୍‌ ବ୍ୟାଙ୍କ ଜମାରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ: ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଡିପୋଜିଟ ବା ଜମାରେ ଆଶ୍ଚର୍ଯ୍ୟଜନକ ହ୍ରାସ ହୋଇଥିବା ଜଣାପଡ଼ିଛି। ୨୦୧୮ ମସିହାର ଜମା ତୁଳନାରେ ୬% ହ୍ରାସ ହୋଇ ଏହା ୯୫୫ ମିଲିଅନ୍‌ ସ୍ୱିସ୍‌ ଫ୍ରାଙ୍କସ୍‌ ବା ୬,୭୫୭ କୋଟିକୁ ଖସିଆସିଛି। ଏହା ଗତ ଦୁଇ ଦଶନ୍ଧିରେ ଦ୍ୱିତୀୟ ସର୍ବନିମ୍ନ ବୋଲି ସ୍ୱିସ୍‌ ନ୍ୟାସନାଲ ବ୍ୟାଙ୍କର ତଥ୍ୟରୁ ଜଣାପଡ଼ିଛି। ଏପରିକି ସ୍ୱିସ୍‌ବ୍ୟାଙ୍କର ସର୍ବମୋଟ ବିଦେଶୀ ଜମା ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି। ଏଥିରେ ୪% ହ୍ରାସ ହୋଇ ବ୍ୟାଙ୍କରେ ମୋଟ ଜମା ପରିମାଣ ୯୯ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।

ଅନ୍ୟପକ୍ଷରେ ଭାରତୀୟଙ୍କ ଜମା ବାବଦରେ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟଲମେଣ୍ଟ ଅଧିକ ବିଶ୍ୱସନୀୟ ତଥ୍ୟ ଦେଉଥିବା ଉଭୟ ସ୍ୱିଜରଲ୍ୟାଣ୍ଡ ଏବଂ ଭାରତ ସରକାର ପୂର୍ବରୁ କହିସାରିଛନ୍ତି। ଏହି ସୂତ୍ରରୁ ଜଣାପଡ଼ିଛି ଭାରତୀୟଙ୍କ ଜମା ପରିମାଣରେ ମୋଟ ୧୧% ହ୍ରାସ ଘଟିଛି।

ତେବେ ଏହା ସ୍ୱିସ୍‌ ବ୍ୟାଙ୍କର ‘ଏମାଉଣ୍ଟ ଡ୍ୟୁ ଟୁ କ୍ଲାଏଣ୍ଟ’ ଅର୍ଥ ବୋଲି ଜଣାପଡ଼ିଛି, ଯାହାକି ସମ୍ପୂର୍ଣ୍ଣ ଅଫିସିଆଲ। ବହୁ ବିତର୍କିତ କଳାଧନ ଏଥିରେ ସାମିଲ ନଥିବା ଏଥିରୁ ସ୍ପଷ୍ଟ। ଏହି ଅଫିସିଆଲ ଦସ୍ତାବିଜରେ ଭାରତୀୟ, ପ୍ରବାସୀ ଭାରତୀୟ ଏବଂ ଅନ୍ୟମାନଙ୍କ କଳାଧନ ଜମା ବାବଦରେ ତଥ୍ୟ ନଥାଏ।