ସରକାରୀ ଅଙ୍କୁଶ ସତ୍ତ୍ୱେ ଆରଏସ୍‌ଏସ୍‌ ମୁଖ୍ୟ ସ୍କୁଲରେ ଉଡାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(RSS) ମୁଖ୍ୟ ମୋହନ ଭାଗବତ ସରକାରୀ ଅଙ୍କୁଶ ସତ୍ୱେ କେରଳାର ଏକ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କେରଳ ସରକାର ପୂର୍ବରୁ ଏକ ବିଜ୍ଞପ୍ତି ଜାରି କରି ଜଣାଇଥିଲେ ଯେ, ଚଳିତ ବର୍ଷ ସମସ୍ତ ସ୍କୁଲରେ ଜାତୀୟ ଦିବସରେ କେବଳ ସ୍କୁଲ ପ୍ରମୁଖ ହିଁ ଜାତୀୟ ପତାକା ଉତ୍ତୋଳନ କରିବେ। କିନ୍ତୁ ଏହି ନିର୍ଦ୍ଦେଶକୁ ଖାତିର ନ କରି  ଭାଗବତ ପଲକ୍କଡ ଅଞ୍ଚଳର ଏକ ସ୍କୁଲରେ ପତାକା ଉତ୍ତୋଳନ କରିଥିଲେ।

ଜିଲାପ୍ରଶାସନ ପକ୍ଷରୁ ଭାଗବତଙ୍କୁ ପତାକା ଉତ୍ତୋଳନକୁ ନେଇ ଆପତ୍ତି ପରେ ସେ କର୍ଣ୍ଣାକିୟାମାନ୍‌ ହାଇୟର ସେକେଣ୍ଡାରୀ ସ୍କୁଲରେ ଧ୍ୱଜା ଉତ୍ତୋଳନ କରିଥିଲେ। ଗତବର୍ଷ ମଧ୍ୟ ଜାତୀୟ ଦିବସରେ ଏହି ସ୍କୁଲରେ ଭାଗବତଙ୍କ ଉପସ୍ଥିତି ଓ ପତାକା ଉତ୍ତୋଳନକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଥିଲା।

ସୂଚନାଯାଗ୍ୟ, ଚଳିତ ବର୍ଷ ରାଜ୍ୟ ସରକାର ଏକ ସର୍କୁଲାର ଜାରି କରିଥିଲେ, ଯେଉଁଥିରେ ଉଲ୍ଲେଖ ରହିଥିଲା କି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟାଳୟ ପ୍ରମୁଖ ଓ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ହିଁ ପତାକା ଉତ୍ତୋଳନ କରିପାରିବେ।