କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ: ରବିବାର ଶପଥ ଗ୍ରହଣ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ କ୍ୟାବିନେଟ୍‌ ପାହ୍ୟା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟ): ରବିବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ରବିବାର ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ ବୋଲି ଜଣାପଡିଛି। ନରେନ୍ଦ୍ର ମୋଦି ସରକାରଙ୍କ ଏହା ତୃତୀୟ ଅଦଳବଦଳ। ଏଥିରେ ଅତିକମରେ ୨୦ରୁ ଅଧିକ ମନ୍ତ୍ରୀଙ୍କ ଅଦଳବଦଳ ସହ କିଛି ନୂଆ ନାଁ ମଧ୍ୟ ସାମିଲ କରାଯିବା ସମ୍ଭାବନା ରହିଛି। ଗତକାଲି ସଂଧ୍ୟାରେ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡିଙ୍କ ସମେତ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଏବଂ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଇସ୍ତଫା ଦେବା ସମ୍ଭାବନା ରହିଛି। କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଏବଂ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ କଲରାଜ ମିଶ୍ରା ମଧ୍ୟ ଇସ୍ତଫା ଦେବା ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ନବକଳେବର: ହଠାତ୍ କାହିଁକି ଏ ନିଷ୍ପତ୍ତି ? କିଏ ଅଛନ୍ତି ମୋଦିଙ୍କ ଗୁଡ୍ ଲିଷ୍ଟରେ?

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ନୂଆ ନାଁ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ବିଜେପି ବରିଷ୍ଠ ନେତା ବିନୟ ସହସ୍ରବୁଦ୍ଧେ। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ତଥା ସାଂସଦ ସତ୍ୟପାଲ ସିଂହ, ହିମାଚଳପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମକୁମାର ଧୁମାଲ, ପୂର୍ବ ଉତ୍ତରାଞ୍ଚଳର ବଡ ନେତା କୁହାଯାଉଥିବା ହେମନ୍ତ ବିଶ୍ୱଶର୍ମାଙ୍କୁ ପ୍ରମୁଖ ବିଭାଗ ମିଳିବା ସମ୍ଭାବନା ରହିଛି। ନୂଆ ମନ୍ତ୍ରୀ ତାଲିକାରେ ନିକଟରେ ଏନଡିଏରେ ସାମିଲ ହୋଇଥିବା ଜେଡିୟୁକୁ ମିଳିପାରେ ଦୁଇ ମନ୍ତ୍ରୀ ପଦ। ରାମଚନ୍ଦ୍ର ପ୍ରତାପ ସିଂ ଏବଂ ସନ୍ତୋଷ କୁଶୱାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ସମ୍ଭାବନା ରହିଛି । AIADMKକୁ ମଧ୍ୟ ୩ଟି ମନ୍ତ୍ରୀପଦ ମିଳିବା ସମ୍ଭାବନା ରହିଛି।

କିଛି ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ କରାଯିବା ସମ୍ଭାବନା ରହିଛି।  ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ସହ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପିୟୂଷ ଗୋୟଲ, ଜିତେନ୍ଦ୍ର ସିଂହ, ହଂସରାଜ ଅହିର ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ କରାଯିବା ସମ୍ଭାବନା ରହିଛି।