ପବନରେ ଝାଡ଼ୁମରା ପାଇଁ ହେମାଙ୍କୁ ଟ୍ରୋଲ୍‌ କଲେ ସ୍ୱାମୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ସଂସଦ ସଫେଇ ଅଭିଯାନରେ ବିଜେପି ସାଂସଦ ହେମା ମାଳିନୀଙ୍କ ସଂସଦ ପରିସରରେ ଝାଡ଼ୁମରା ଉଦ୍ୟମର ଫଟୋ ସମସ୍ତେ ଦେଖିଥିବେ। ତାଙ୍କ ଆଖପାଖରେ କୌଣସି ଅଳିଆ ନଥିବା ଏବଂ ତାଙ୍କ ଝାଡ଼ୁ ମାଟି ଛାଡ଼ି ଶୁନ୍ୟରେ ବୁଲୁଥିବା ସେତେବେଳେ ଖୁବ୍‌ ଚର୍ଚ୍ଚିତ ହୋଇଥିଲା। ଏପରିକି କେହି କେହି ଫିଲ୍ମ ଶୁଟିଂ ହେଉଛି ବା ଫଟୋ ଉଠାଇବା ପାଇଁ ପୋଜ୍‌ ଦେଉଛନ୍ତି ବୋଲି ଟ୍ୱିଟରରେ ପଚାରିବାକୁ ପଛାଇନଥିଲେ। କିନ୍ତୁ ଏବେ ଖୋଦ୍‌ ତାଙ୍କ ପତିଦେବ ‘ହି-ମ୍ୟାନ୍‌’ ଧର୍ମେନ୍ଦ୍ର ତାଙ୍କୁ ଟ୍ରୋଲ୍‌ କରିଛନ୍ତି।

ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ଉତ୍ତର ଦେବାକୁ ଯାଇ ଧର୍ମେନ୍ଦ୍ର ଏପରି କରିଛନ୍ତି। ଟ୍ୱିଟର ବ୍ୟବହାରକାରୀ ଜଣକ ଧର୍ମେନ୍ଦ୍ରଙ୍କୁ ପଚାରିଥିଲେ, “ଆପଣଙ୍କ ପତ୍ନୀ ଜୀବନରେ କେବେ ଝାଡ଼ୁ ଧରିଥିଲେ?”

ଉତ୍ତରରେ ଧର୍ମେନ୍ଦ୍ର କହିଥିଲେ, “ହଁ, ଫିଲ୍ମରେ ଏପରି କରିଥିଲେ। କିନ୍ତୁ ସେତେବେଳେ ସେ ନୂଆ ଶିଖାଳି ପରି ମନେ ହୋଇଥିଲେ। ମୁଁ କିନ୍ତୁ ପିଲାଦିନେ ମୋ ମା’ଙ୍କୁ ଝାଡ଼ୁ ମାରିବାରେ ସାହାଯ୍ୟ କରୁଥିଲି। ମୁଁ ସେଥିରେ ମାହିର ଥିଲି। କାରଣ ମୋତେ ସ୍ୱଚ୍ଛତା ବହୁତ ପସନ୍ଦ।”


ତାଙ୍କର ଉତ୍ତରରେ ଅଭିଭୂତ ଟ୍ୱିଟର ବ୍ୟବହାରକାରୀ କହିଥିଲେ, “ଯାହା ହେଉ ସାର୍, ଏଭଳି ସଚ୍ଚୋଟ ଉତ୍ତର ପାଇଁ ମୋ ତରଫରୁ ଅନେକ ଧନ୍ୟବାଦ। ଏଭଳି ସ୍ପଷ୍ଟବାଦୀ ଉତ୍ତର ପାଇଁ ମୁଁ ଆପଣଙ୍କୁ ସମ୍ମାନ ଜଣାଉଛି। “