ଫସିବେ ଦୁର୍ନୀତିଖୋର ବାବୁ : ୧୧୦୦ ଡାଏଲ କଲେ ଘରେ ଆସି ପହଞ୍ଚିବ ଲାଞ୍ଚ ଟଙ୍କା, କେଉଁଠି ଆରମ୍ଭ ହେଲା ଏମିତି ଯୋଜନା

ଅମରାବତୀ: ଏଣିକି ଲାଞ୍ଚ ମାଗିଲେ ସରକାରୀ ବାବୁ ଫସିବେ। ଦୁର୍ନୀତି ରୋକିବା ପାଇଁ ଏକ ଅଭିନବ ଯୋଜନା ଆନ୍ଧ୍ର ସରକାର କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା କରିଛନ୍ତି ସରକାର। ଯଦି କେହି  ଲାଞ୍ଚ ମାଗିନେଇ ଥାଆନ୍ତି ତେବେ ୧୧୦୦ ଡାଏଲ କରିବାକୁ ପଡ଼ିବ। ଏହି ନମ୍ବର ଡାଏଲ କଲାମାତ୍ରେ ଲାଞ୍ଚ ନେଇଥିବା ଅଧିକାରୀ ସଙ୍ଗେ ସଙ୍ଗେ ଆସି ପଇସା ଫେରାଇ ଦେବ।  ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନାର ନା’ ରହିଛି ‘ପିପୁଲ ଫାଷ୍ଟ’। ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଭ୍ରଷ୍ଟାଚାର ରାଜ୍ୟ ଭାବେ ସବୁଠୁ ଆଗରେ କର୍ଣ୍ଣାଟକ ରହିଥିବା ବେଳେ ତା’ ପଛକୁ ଆନ୍ଧ୍ରପ୍ରଦେଶ ରହିଥିବା ଜଣାପଡ଼ିଥିଲା। ତେଣୁ ଦୁର୍ନୀତୀ ରୋକିବା ପାଇଁ ଆନ୍ଧ୍ର ସରକାର ଏଭଳି ପଦେକ୍ଷପ ଗ୍ରହଣ କରିଛନ୍ତି।  ୧୧୦୦ ହେଉଛି ଏକ କଲ୍‌ ସେଣ୍ଟର। ଏଥିରେ ୭୫୦ ଜଣ ଅଫିସର ନିଯୁକ୍ତି ପାଇଛନ୍ତି।

ଦୁର୍ନୀତି ସମ୍ପର୍କରେ ଜନସାଧାରଣମାନେ ୧୧୦୦ ନମ୍ବର ଡାଏଲ କଲେ ସମ୍ପୃକ୍ତ ଅଫିସରମାନେ ଘଟଣାର ଯାଞ୍ଚ କରିବେ। ଏମାନେ ଅଭିଯୋଗ ଆସିଥିବା ଅଫିସରଙ୍କ ବିରୋଧରେ ତଥ୍ୟ ସଂଗ୍ରହ କରିବେ। ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିଲେ ଭ୍ରଷ୍ଟାଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।  ମେ’ ୨୫ରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଦ୍ୟାବଧି  ୩୦୦୦ କଲ ଆସିଥିବା ଆନ୍ଧ୍ରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଖାଲି ସେତିକି ନୁହଁ ବହୁ ଅଫିସର ଭୟରେ ଲାଞ୍ଚ ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତି।  ଏହି ଯୋଜନା ଲୋକଙ୍କ ପାଇଁ ଖୁବ୍‌ ଫଳପ୍ରଦ ହେଉଥିବା ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।