ଦିଲ୍ଲୀରେ ବିକ୍ରି ହୋଇଥିବା ଓଡ଼ିଆ ନାବାଳିକା ଉଦ୍ଧାର, ଆଣିବାକୁ ହରିୟାଣା ଯିବ ସୁନ୍ଦରଗଡ ପୋଲିସ

ନୂଆଦିଲ୍ଲୀ: ସୁନ୍ଦରଗଡ଼ ଜିଲ୍ଲାରୁ ଦିଲ୍ଲୀକୁ ଚାଲାଣ ହୋଇଥିବା ଜଣେ  ଓଡ଼ିଆ ନାବାଳିକା ହରିୟାଣାରୁ ଉଦ୍ଧାର କରାଯାଇଛି।  ହରିୟାଣାର ପଲୱାଲ ପୋଲିସ ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ଘର ସୁନ୍ଦରଗଡ଼ ଜିଲ୍ଲାରେ। ଚାଲାଣ ପରେ ବଳାତ୍କାରର ଶିକାର ହୋଇଥିବା ସୁନ୍ଦରଗଡ଼ ଅଞ୍ଚଳର ନାବାଳିକାକୁ ଫେରାଇ ଆଣିବାକୁ ହରିୟାଣା ଯିବ ସୁନ୍ଦରଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍। ତାକୁ ତା’ର ଜଣେ ସମ୍ପର୍କୀୟ ପ୍ରଲୋଭନ ଦେଖାଇ ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶର ମଥୁରାକୁ ନେଇଯାଇଥିଲା। ସେ ନାବାଳିକାକୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ଝିଅଟିକୁ ଆଉ ଜଣକୁ ୮୦ ହଜାର ଟଙ୍କାରେ ବିକ୍ରି କରି ଦିଆଯିବା ସହ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସହ ଜୋର ଜବରଦସ୍ତ ବିବାହ କରି ଦିଆଯାଇଥିଲା। ଝିଅଟି ସେଠାରୁ କୌଶଳକ୍ରମେ ଖସି ଆସି ପଲୱାଲରେ ପହଞ୍ଚିଥିଲା।  ତେବେ ଏକୁଟିଆ ଦେଖି ଦୁଇ ଜଣ ଅଟୋଚାଳକ ତାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ହେଲେ ସେମାନଙ୍କ କବଳରୁ ନାବାଳିକା ଜଣକ ଖସି ଆସିବା ପରେ ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରି ପୋଲିସ ହେପାଜତରେ ଛାଡିଥିଲେ।  ପଲୱାଲ ପୋଲିସ ଘଟଣାରେ ୭ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ୪ ମାସ ତଳେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଞ୍ଚଳରୁ ନାବାଳିକା ସହ ତାର ସାନଭାଇକୁ ସ୍ଥାନୀୟ ଅଞ୍ଚଳର ବିକାଶ ନାମକ ଜଣେ ଯୁବକ ଅନ୍ୟ ଦୁଇ ସାଙ୍ଗଙ୍କ ସହ ମିଶି ମଥୁରା ନେଇଯାଇଥିଲେ। ତେବେ ସାନଭାଇ କୌଶଳକ୍ରମେ ଖସି ଘରକୁ ପଳାଇ ଆସିଥିଲା। ହେଲେ ନାବାଳିକା ଜଣଙ୍କ ଆସି ନ ପାରି ସେଠାରେ ବଳାତ୍କାର ଓ ନିର୍ଯାତନାର ଶିକାର ହୋଇଥିଲେ।