ଦିଲ୍ଲୀ: ପ୍ରେମିକାକୁ ମାରି ପୋଲିସ୍ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ରବିବାର ଜଣେ ପୋଲିସ୍ ଏସଆଇ ତାଙ୍କ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଯୁବତୀଙ୍କୁ ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ୍ ଏସଆଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ଶରୀରରେ ତିନୋଟି ଗୁଳି ବାଜିଥିଲା। ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ପୋଲିସ୍ ଏସଆଇଙ୍କ ନାଁ ବିଜେନ୍ଦ୍ର।

୨୦୦୧ରେ ପୋଲିସରେ ଭର୍ତ୍ତି ହୋଇଥିଲେ ସେ। ୨୦୦୮ରେ ପଦୋନ୍ନତି ପାଇଁ ସେ ଏସଆଇ ହୋଇଥିଲେ। ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ବିବାହିତ ହୋଇଥିବା ସତ୍ତ୍ୱେ ସେ ଉକ୍ତ ଯୁବତୀଙ୍କୁ ଭଲ ପାଉଥିଲେ ଓ ବିବାହ କରିବାକୁ ବି ପ୍ରତିଶ୍ରୁତି ଦେଇଥିଲେ। ତେବେ ତାଙ୍କ ପ୍ରେମ କାହାଣୀ ସଂପର୍କରେ ତାଙ୍କ ପତ୍ନୀ ଜାଣି ପାରିଥିଲେ ଓ ଏନେଇ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଥିଲେ।

ବିଜେନ୍ଦ୍ର ଦୁଇ ସପ୍ତାହ ଛୁଟିରେ ଥିଲେ। ସେ ଏହି ତିନି-ଚାରି ଦିନ ହେଲା ଡ୍ୟୁଟିରେ ଯୋଗ ଦେଇଥିଲେ। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥାଆନ୍ତା। ଉକ୍ତ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ କିଛି ନ କହିବାକୁ ଟଙ୍କା ମଧ୍ୟ ନେଇଥିବା କୁହାଯାଉଛି। ତେବେ ଆଜି ସେ ଏକ ପାର୍କରେ ଉକ୍ତ ଯୁବତୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।