ଅଯୋଗ୍ୟ ଘୋଷିତ ବିଧାୟକ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଅଯୋଗ୍ୟ ଘୋଷିତ ୧୪ ବିଦ୍ରୋହୀ ବିଧାୟକ ବାଚସ୍ପତି କେଆର୍ ରମେଶ କୁମାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ। ଅଯୋଗ୍ୟ ଘୋଷିତ ଜେଡିଏସ ବିଧାୟକ ଏଏଚ ବିଶ୍ୱନାଥ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତି ଆଇନ ବିରୋଧୀ ବୋଲି ସେ କହିଛନ୍ତି। ତେଣୁ ଆସନ୍ତାକାଲି ସେ ଓ ଅନ୍ୟ ଅଯୋଗ୍ୟ ଘୋଷିତ ବିଧାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଆଜି ବାଚସ୍ପତି କେଆର୍ ରମେଶ କୁମାର କଂଗ୍ରେସର ୧୧ ଏବଂ ଜେଡିଏସର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ବେଳେ ପୂର୍ବରୁ ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ମୋଟ ୧୭ ଜଣଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ବିଧାୟକ ମାନେ ଆଗାମୀ ୪ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍ପତି ନିର୍ଦ୍ଦେଶ ଜାରି କରିଛନ୍ତି।

ଜୁଲାଇ ୨୩ରେ ହୋଇଥିବା ଆସ୍ଥା ଭୋଟ ବେଳେ ଦଳର ହୁଇପକୁ ଅବମାନନା କରିଥିବାରୁ ବାଚସ୍ପତି ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବୋଲି ବିଦ୍ରୋହୀ ବିଧାୟକ କହିଛନ୍ତି। ତେବେ ଆସ୍ଥା ଭୋଟ ବେଳେ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କେହି ବାଧ୍ୟ କରିପାରିବେନି ବୋଲି ସେ କହିଛନ୍ତି। କାରଣ ହୁଇପ ଜାରି ହେବାର ଯଥେଷ୍ଟ ପୂର୍ବରୁ ଅର୍ଥାତ ଜୁଲାଇ ୧୧ ତାରିଖରୁ ସେମାନେ ଇସ୍ତଫା ଦେଇଥିଲେ। ତେଣୁ ଏହାପରେ ଦଳ ହୁଇପ୍ ଜାରି କଲେ ସେମାନେ ହୁଇପକୁ ମାନିବା ବାଧ୍ୟତାମୂଳକ ନୁହେଁ ବୋଲି ବିଦ୍ରୋହୀ ବିଧାୟକ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୮ରେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ୨୩ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ କୁମାରସ୍ୱାମୀ ସରକାର।