‘ଏ ପିଲା ଆତଙ୍କବାଦୀ ହୋଇଯିବ’: ପୁରସ୍କାର ନା ଅଭିଶାପ, ପଢନ୍ତୁ ସ୍କୁଲର ଠିକଣା

ମଞ୍ଚେଷ୍ଟର: ବିଦ୍ୟାଳୟ ହେଉଛି ଶିକ୍ଷାର ଅନ୍ତୁଡ଼ିଶାଳ। କୁହାଯାଏ ଏହା ହେଉଛି ମଣିଷ ତିଆରି କାରଖାନା। ହେଲେ ଆମେରିକାର ଟେକ୍ସାସର ଚେନଲବ୍ୟୁସ୍ଥିତ ଏଣ୍ଟନୀ ଏଗୁରୀ ଜୁନିୟର ହାଇସ୍କୁଲ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସ୍କୁଲରେ ଆୟୋଜିତ ହୋଇଥିଲା ବାର୍ଷିକତ୍ସୋବ। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା। ହେଲେ ଜଣେ ୧୩ ବର୍ଷର ଛାତ୍ରୀଙ୍କୁ ଦିଆଯାଇଥିବା ପୁରସ୍କାରରେ ଲାଗିଥିଲା ଏକ ଟ୍ୟାଗ୍। ଯେଉଁଥିରେ ଲେଖାଥିଲା ‘ଏ ପିଲା ଆତଙ୍କବାଦୀ ହୋଇଯିବ’। ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଛାତ୍ରୀଙ୍କ ଅଭିଭାବକ ଆପତ୍ତି ଉଠାଇବା ପରେ ସ୍କୁଲ କର୍ତ୍ତୃପକ୍ଷ କ୍ଷମା ମାଗିଥିଲେ।

ସୂଚନାଯୋଗ୍ୟ, ଏହି ସ୍କୁଲର ବାର୍ଷିକତ୍ସୋବରେ ଛାତ୍ରଛାତ୍ରୀଙ୍କୁ ମଜାଳିଆ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନେ ପୁରସ୍କାର ସହ ପ୍ରମାଣପତ୍ର ମଧ୍ୟ ଦେଇଥାନ୍ତି। ୧୩ ବର୍ଷିୟ ଲିଜଥ ବିଲାନୁଏବା କହିଛନ୍ତି ମଙ୍ଗଳବାର ମୋତେ ଶ୍ରେଣୀଗୃହରେ ଏହି ପୁରସ୍କାର ଦିଆଯିବା ବେଳେ ଶିକ୍ଷକମାନେ ହସୁଥିଲେ। ସେ କହିଛନ୍ତି, ଶିକ୍ଷକ ମୋ ପୁରସ୍କାର ଘୋଷଣା କରିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ବହୁତ ଦୁଃଖି ହୋଇଯାଇଥିଲି। ହେଲେ ମୁଁ ମୋ ଦୁଃଖକୁ କାହା ସାମ୍ନାରେ ଦେଖାଇ ପାରି ନ ଥିଲି।

ମଞ୍ଚେଷ୍ଟରରେ ଘାତକ ଆକ୍ରମଣର ଗୋଟିଏ ଦିନ ପରେ ଏହି ପୁରସ୍କାର ଦିଆଯାଇଥିଲା। ଜଣେ ଛାତ୍ରଙ୍କୁ ‘ଏ ଛାତ୍ର ସବୁ ଜିନିଷ ପାଇଁ ସବୁଠୁ ଅଧିକ କାନ୍ଦିବ’, ଅନ୍ୟ ଜଣଙ୍କୁ ‘ଏ ବେଘର ହୋଇଯିବ’ ଭଳି ପୁରସ୍କାର ଦିଆଯାଇଥିଲା।

ଲିଜଥଙ୍କ ବାପା କହିଛନ୍ତି,“ଆମ ଝିଅ ପାଠ ପଢାରେ ବହୁତ ଭଲ। ହେଲେ ତାକୁ ଦିଆଯାଇଥିବା ମଜାଦାର ପୁରସ୍କାରକୁ ନେଇ ସେ ବହୁତ ଦୁଃଖି ଅଛି।”

ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି। ହେଲେ ଏପରି ଘଟଣାରେ ସାମିଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଉ ବୋଲି ଲିଜଥଙ୍କ ମାଆବାପା ଦାବି କରିଛନ୍ତି।