ଡିଏନଏ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଇନ୍ଦୋରର ମୂକ-ବଧିର ସଂସ୍ଥାରେ ରହିବେ ଗୀତା

ନୂଆଦିଲ୍ଲୀ: ପାକିସ୍ତାନରୁ ଦୀର୍ଘ ୧୫ ବର୍ଷ ପରେ ଭାରତକୁ ଫେରିଥିବା ଭିନ୍ନକ୍ଷମ ଝିଅ ଗୀତାଙ୍କ ଡିଏନଏ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଇନ୍ଦୋରର ମୂକ-ବଧିର ସଂସ୍ଥାରେ ରଖାଯିବ। ଏ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇଛନ୍ତି। ଗୀତାଙ୍କ ପିତା ବୋଲି କହୁଥିବା ଜନାର୍ଦ୍ଦନ ମାହାତୋ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସେ ଚିହ୍ନି ପାରି ନାହାନ୍ତି। ଯଦି ଡିଏନଏ ରିପୋର୍ଟ ପୋଜିଟିଭ୍ ଆସିଲେ ତେବେ ଜନାର୍ଦ୍ଦନ ମାହାତୋଙ୍କ ପରିବାରକୁ ଗୀତାଙ୍କୁ ହସ୍ତାନ୍ତର କରାଯିବ।
୧୫ବର୍ଷ ତଳେ ଭୁଲରେ ଗୀତା ପାକିସ୍ତାନ ଚାଲିଯାଇଥିଲେ। ଗୀତାଙ୍କୁ ସୋମବାର କରାଚିରୁ ଦିଲ୍ଲୀକୁ ଅଣାଯାଇଥିଲା। ଗୀତାକୁ ପାକିସ୍ତାନରେ ଭରଣପୋଷଣ କରୁଥିବା ଇଦ୍ଧି ଫାଉଣ୍ଡେସନକୁ ଏକ କୋଟି ଟଙ୍କାର ସହାୟତା ରାଶି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।