ଗୃହରେ ଅନୁପସ୍ଥିତି ନେଇ ସମାଲୋଚିତ ହେବା ପରେ ସଫେଇ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ଶୁକ୍ରବାର ସଂସଦରେ ପ୍ରଦୂଷଣକୁ ନେଇ ଆଲୋଚନା ସମୟରେ ଅନୁପସ୍ଥିତ ରହିବା ନେଇ ମୁହଁ ଖୋଲିଛନ୍ତି। ତାଙ୍କୁ ସାମଲୋଚନା କରିବା ନେଇ ଗମ୍ଭୀର ଆମ୍‌ ଆଦମୀ ପାର୍ଟି ଉପରେ ସେ ବର୍ଷିଛନ୍ତି। ସେ କହିଛନ୍ତି ମୋ କାମ କଥା କହେ।

ଟ୍ୱିଟ୍ କରି ସେ କହିଛନ୍ତି, ମୋ କାମ ନିଜ ବିଷୟରେ କଥା କହେ। ଯଦି ମୋତେ ଗାଳି କଲେ ପ୍ରଦୂଷଣ କମିଯିବ ମନଭରି ଗାଳି କରିପାରିବେ। ମୁଁ ମୋ ନିର୍ବାଚନମଣ୍ଡଳୀ ପାଇଁ କ’ଣ କାମ କରିଛି ତାହା ସେଇ କାମରୁ ପରୀକ୍ଷା କରାଯାଉ। ସେ ଏହାପରେ ତାଙ୍କ କାମ ବାବଦରେ ତାଲିକା ଦେଇଥିଲେ। ଗତ ୬ ମାସରେ ସେ ଯାହା କରିଛନ୍ତି ତାହା ତାଙ୍କ ପୁରା କାର୍ଯ୍ୟକାଳରେ କରିବାକୁ ଥିବା କାମର ୧% ବି ନୁହେଁ ବୋଲି ସେ କହିଛନ୍ତି। ସେ ପ୍ରତିଦିନ ସକାଳ ୧୧ରୁ ପୂର୍ବ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ବସୁଛନ୍ତି ଏବଂ ଅଭିଯୋଗର ସମାଧାନ ନହେଲା ଯାଏ ଛାଡ଼ୁନାହାନ୍ତି।

ସେ ବାୟୁକୁ ସ୍ୱଚ୍ଛ କରିବା ପାଇଁ ବୃହତ ପ୍ୟୁରିଫାୟର ବ୍ୟବହାର କରାଯିବାର ଅଛି ବୋଲି ଘୋଷଣା କରିଛନ୍ତି। ସେ ଟଙ୍କା କମାଇବା ପାଇଁ ରାଜନୀତିକୁ ଆସିନାହାନ୍ତି ଏବଂ କଷ୍ଟ ଅର୍ଜିତ ଟଙ୍କାରେ ହିଁ ବଞ୍ଚନ୍ତି ବୋଲି ସେ କହିଛନ୍ତି।