ଗୋରଖପୁର ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଘଟଣା: ଡାକ୍ତର କଫିଲ ଖାନ୍‌ ଗିରଫ

ଲକ୍ଷ୍ନୌ: ଗୋରଖପୁରର ବିଆର୍‌ଡି ମେଡିକାଲ କଲେଜରେ ଶିଶୁ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡାକ୍ତର କଫିଲ ଖାନ୍‌ଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ପୋଲିସ୍‌ର ଏସ୍‌ଟିଏଫ୍ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଲକ୍ଷ୍ନୌରୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ ଏସ୍‌ଟିଏଫ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅକ୍ସିଜେନ୍ ଅଭାବରୁ ଶିଶୁ ମୃତ୍ୟୁ ଘଟଣା ପରେ ସେ ଫେରାର ହୋଇଯାଇଥିଲେ। କଫିଲ ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରି କରି ନିଜ ନର୍ସିଂହୋମକୁ ନେଇଯାଉଥିବାର ଅଭିଯୋଗ ରହିଛି।

ଗତ ମାସରେ ଅକ୍ସିଜେନ୍ ଅଭାବରୁ ୪୮ ଘଣ୍ଟା ୩୦ ଜଣ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ଡକ୍ଟର କଫିଲ ଖାନଙ୍କ ନାଁ ସାମ୍ନାକୁ ଆସିଥିଲା। ପ୍ରଥମେ ତ ସେ ହିରୋ ପାଲଟି ଯାଇଥିଲେ। କିନ୍ତୁ ପରେ ତାଙ୍କର ଅସଲ ଚେହେରା ପଦାକୁ ଆସିଥିଲା। ଡାକ୍ତରଖାନାର କର୍ମଚାରୀ ଓ ଅନ୍ୟ ଡାକ୍ତରମାନେ ହିଁ ତାଙ୍କର ମୁଖା ଖୋଲିଥିଲେ। ଜଣେ ପରେ ଜଣେ ଶିଶୁ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଉଥିବା ବେଳେ ଡାକ୍ତର କଫିଲ ତାଙ୍କ ସାଙ୍ଗ ମାନଙ୍କର ନର୍ସିଂହୋମ୍‌ରୁ ନିଜ କାର୍‌ରେ ଅକ୍ସିଜେନ୍‌ ସିଲିଣ୍ଡର ଆଣିଥିଲେ ବୋଲି କୁହାଯାଇଥିଲା। କିନ୍ତୁ ପରେ ଜଣାପଡ଼ିଲା ସେ ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରି କରି ନିଜ କ୍ଲିନିକ୍‌କୁ ନେଉଥିଲେ। ସେ ଡାକ୍ତରଖାନାରେ କମ୍ ରହୁଥିଲେ ଓ ନିଜ କ୍ଲିନିକ୍‌ରେ ଅଧିକ ସମୟ ରହୁଥିଲେ।

ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ବିଆର୍‌ଡି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ରାଜୀବ ମିଶ୍ରା, ତାଙ୍କ ପତ୍ନୀ ପୂର୍ଣ୍ଣିମା ଶୁକ୍ଳାଙ୍କୁ ତିନି ଦିନ ତଳେ କରାଯାଇଥିଲା। ମାମଲା ରୁଜୁ ହେବା ପରେ ସେମାନେ ବି ଫେରାର ହୋଇଯାଇଥିଲେ।

ଗୋରଖପୁର ମେଡିକାଲ କଲେଜରେ ଶିଶୁ ମୃତ୍ୟୁ ଜାରି ରହିଛି। ଅଗଷ୍ଟ ମାସରୁ ବର୍ତ୍ତମାନ ସୁଦ୍ଧା ଏଠାରେ ୩୦୦ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି କୁହାଯାଉଛି। ଗତ ଅଗଷ୍ଟ ୨୯ ତାରିଖ ରାତି ପ୍ରାୟ ୧୨ ଟାରୁ ୩୦ତାରିଖ ରାତି ୧୨ ଟା ମଧ୍ୟରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ଏନ୍‌ଆଇସିୟୁରେ ଥିବା ୮ ଜଣ ଶିଶୁ ଓ ପିଆଇସିୟୁରେ ଥିବା ୫ ଜଣ ଶିଶୁଙ୍କର ଭିନ୍ନ ଭିନ୍ନ ରୋଗରେ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨୭, ୨୮ ଓ ୨୯ ତାରିଖରେ ଏଠାରେ ମୋଟ ୬୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏନ୍‌ସେଫାଲାଇଟିସ୍ ୱାର୍ଡରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏନ୍‌ଆଇସିୟୁରେ ୨୫ ଓ ଶିଶୁ ଚିକିତ୍ସା ୱାର୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଶିଶୁମାନେ ଏନ୍‌ସେଫାଇଲାଇଟିସ୍ ବ୍ୟତୀତ ନବଜାତ ଶିଶୁଙ୍କୁ ହେଉଥିବା ନିମୋନିଆ, ସେପ୍ସିସ୍‌ ଭଳି ଅନ୍ୟ ରୋଗରେ ପୀଡ଼ିତ ଥିଲେ। ବର୍ତ୍ତମାନ ଏଠାରେ ଏନ୍‌ଆଇସିୟୁରେ ମୋଟ ୧୧୪ ଶିଶୁ ଥିବା ବେଳେ ପିଆଇସିୟୁରେ ୨୪୦ ରୋଗୀ ଭର୍ତ୍ତି ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତର କଫିଲ କଣ ଭିଲିଆନ?; ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରି କରିଥିବା ଅଭିଯୋଗ