ଗୁପ୍ତାବାବୁଙ୍କ କୁକୁରକୁ କିଏ କଲା କିଡନାପ୍‌: ଅପହରଣକାରୀଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ୍‌

ଆପଣ ସୁନା, ଗହଣା ବା ମୂଲ୍ୟବାନ ଜିନିଷ ଚୋରି ଖବର ଶୁଣିଥିବେ। ମଣିଷଙ୍କୁ ଅପହରଣ କରିନେବା ଘଟଣା ମଧ୍ୟ ଶୁଣିଥିବେ। ହେଲେ କେବେ ଭାବିଛନ୍ତି ପୋଷା କୁକୁରକୁ କେହି ଅପହରଣ କରିବା ଘଟଣା। ଦିଲ୍ଲୀରୁ ଆସିଛି ଏମିତି ଏକ ଘଟଣା। ଯେଉଁଠି ଅପହୃତ କୁକୁରକୁ ଖୋଜୁଛି ପୋଲିସ୍‌। ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଦୀର୍ଘ ୩୬ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୁକୁର କିମ୍ବା କୁକୁର ଅପହରଣକାରୀଙ୍କୁ ପୋଲିସ ଧରିବାରେ ସଫଳ ହୋଇ ପାରିନାହିଁ।

ଦିଲ୍ଲୀର ଶକ୍ତିନଗର ଅଞ୍ଚଳରେ ଓମବୀର୍ ନାମକ ଜଣେ ବ୍ୟକ୍ତି ତାଙ୍କ ମାଲିକଙ୍କ ପାଳିତ କୁକୁରକୁ ମଙ୍ଗଳବାର ସକାଳୁ ବାହାରକୁ ବୁଲେଇବା ପାଇଁ ଆଣିଥିଲେ। ଠିକ୍‌ ଏହି ସମୟରେ ଏକ କାର୍‌ରେ ଦୁଇଜଣ ଯୁବକ ଆସି ସେହି କୁକୁରକୁ ହଠାତ୍‌ କାର୍‌ ଭିତରକୁ ଉଠାଇ ନେଇ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏହି ସମୟରେ ଓମବୀର କୁକୁରକୁ କାର୍ ଚାଳକଙ୍କ ଠାରୁ ବଞ୍ଚେଇବାକୁ ଯାଇ ନିଜେ ମଧ୍ୟ ଆହତ ହୋଇଥିଲେ।

କିଛି ସମୟ ପରେ ଏହି ଖବର ଯେତେବେଳେ କୁକୁରର ମାଲିକ ମହେନ୍ଦ୍ର ଗୁପ୍ତା ଓ ଅରୁଣା ଗୁପ୍ତାଙ୍କ ପାଖରେ ପହଞ୍ଚିଲା ସେ କାନ୍ଦି କାନ୍ଦି ଧର୍ଯ୍ୟହରା ହୋଇପଡିଥିଲେ। କାରଣ ଏହି କୁକୁର ତାଙ୍କ ପରିବାରରେ ଜଣେ ସଦସ୍ୟ ଭାବେ ଦୀର୍ଘଦିନ ଧରି ରହି ଆସୁଥିଲା।

ଅନ୍ୟପଟେ ବଡ ବଡ ଅପରାଧ ଘଟଣାରେ ଯେଉଁଠି ପୋଲିସ୍‌ ତଦନ୍ତ କରିବାରେ ବିଳମ୍ବ କରି ମାମଲାକୁ ଚପାଇ ଦେବାରେ ହେଳା କରି ନ ଥାଏ ଠିକ୍‌ ସେହି ସମୟରେ ଏହି କୁକୁରକୁ ଖୋଜିବାକୁ ପୋଲିସ୍‌ ଦୀର୍ଘ ୩୬ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅପରେସନ ଚଳାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇ ନ ଥିବା ଖବର ଏବେ କୌତୁହଳ ସୃଷ୍ଟି କରିଛି।