ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ପାକିସ୍ତାନ: କହିଲେ- ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁଧାର ଆଣିବ

ୱାସିଂଟନ୍‌: ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ପୁଣି ଥରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜ ମାଟିରେ ଆତଙ୍କବାଦ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଆମେରିକା ପକ୍ଷରୁ ବାରମ୍ବାର ପାକିସ୍ତାନ ଉପରେ ଚାପ ପକାଯାଉଛି। ହେଲେ ଏହାର ପ୍ରଭାବ ପାକିସ୍ତାନ ଉପରେ ନପଡ଼ିବା ପରି ଲାଗୁଛି। ଏପରି ସ୍ଥିତିରେ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଆମେରିକା ରାଷ୍ଟ୍ରପତି ପାକିସ୍ତାନ ଦ୍ୱାରା ଆତଙ୍କବାଦ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଠ ନାହାଁନ୍ତି। ଏଥିରେ କୁହାଯାଇଛି ଯେ ଟ୍ରମ୍ପଙ୍କ ନିର୍ଦ୍ଦେଶ ରହିଛି, କେବଳ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଧାରରେ ପାକିସ୍ତାନ ଓ ଆମେରିକା ମଧ୍ୟରେ ସମ୍ପର୍କ ନିର୍ଣ୍ଣାୟକ ହେବ।

ହ୍ୱାଇଟ୍‌ ହାଉସ୍‌ ଡେପୁଟି ସେକ୍ରେଟାରୀ ରାଜା ଶାହ ଗଣମାଧ୍ୟମକୁ କହିଛନ୍ତି, “ଏପରି ପ୍ରଥମ ଥର ହୋଇଛି, ପାକିସ୍ତାନକୁ ତା’ର କାମକୁ ଆଧାର କରି ଦେଖାଯାଉଛି। ଆମେ ପାକିସ୍ତାନକୁ ବାରମ୍ବାର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହି ଆସିଛୁ। ହେଲେ ଏପର୍ଯ୍ୟନ୍ତ ପାକିସ୍ତାନ ଯାହା କି ପଦକ୍ଷେପ ନେଇଛି, ସେଥିରେ ଟ୍ରମ୍ପ ଖୁସି ନାହାଁନ୍ତି।”

ସେ ଆହୁରି କହିଛନ୍ତି, “ପାକିସ୍ତାନ ପାଖରେ ନିଜ କ୍ଷେତ୍ର ଓ ଏହାର ଆଖପାଖରେ ଶାନ୍ତି ସ୍ଥାପନ ପାଇଁ ଏକ ସୁଯୋଗ ରହିଛି। ଯଦି ପାକିସ୍ତାନ ଏହି କାମରେ ସହଯୋଗ କରିବ ତେବେ ଏହା ତା’ ପାଇଁ ଭଲ ହେବ।”