ଜାତୀୟ ରାଜପଥରେ ୧୫ ଫୁଟ ଗାତ ଖୋଳି କ’ଣ କରୁଥିଲେ ପୂଜାରୀ: ଜାଣିବାକୁ କ୍ଲିକ୍‌ କରନ୍ତୁ

ହାଇଦ୍ରାବାଦ: ଜାତୀୟ ରାଜପଥରେ ୧୫ ଫୁଟ ଗଭୀରର ଗାତ। ଏହା ମଧ୍ୟରେ ଜଣେ ବ୍ୟକ୍ତି ଚଲାଇଛନ୍ତି ପୂଜାପାଠ। ଆଉ ଗାତ ଚାରିପଟେ ଘେରି ରହିଛନ୍ତି ଶହଶହ ଲୋକ। ଏହା ହେଉଛି ତେଲେଙ୍ଗାନାର ଜନଗାଁଓ ନିକଟରେ ଥିବା ଏକ ଦୃଶ୍ୟ। ହେଲେ ଲୋକେ ଏମିତି ଏକାଠି ହୋଇ ରାଜପଥ ଖୋଲି ପୂଜାପାଠ କରିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏପରି ରାଜପଥ ଖୋଳାର ମୁଖ୍ୟ ନାୟକ ଥିଲେ ଜନଗାଁଓର ଜଣେ ପୂଜାରୀ। ସେ ଗାଁର ଲୋକଙ୍କୁ କହିଥିଲେ ମହାଦେବ ତାଙ୍କ ସ୍ୱପ୍ନରେ ଆସି ଏଠାରେ ଗାତ ଖୋଳିଳେ ତାଙ୍କ ପ୍ରତିମୂର୍ତ୍ତି ବାହାରିବ ବୋଲି କହିଥିଲେ। ପୂଜାରୀଙ୍କ କଥାକୁ ଗ୍ରାମବାସୀ ବିଶ୍ୱାସ କରି ନେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ମିଶନ ‘ରାଜପଥ ଖୋଳା’। ଜେସିବି ମେଶିନ ଲଗାଇ ଗ୍ରାମବାସୀ ରାଜପଥକୁ ୧୫ ଫୁଟ ଗାଢ଼ କରିଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପୂଜାରୀଙ୍କ ପୂଜାପାଠ।

ପୂଜାରୀ ଜଣଙ୍କ କିଛି ଗ୍ରାମବାସୀଙ୍କ ସହ ଗାତ ଭିତରକୁ ଯାଇଥିଲେ। ସେଠାରେ ସେ ଏକ ଲୁହା ରଡ଼ରେ ନଡିଆ ବାଢେଇବା ସହ ପୂଜାପାଠ ଆରମ୍ଭ କରିଥିଲେ। ଏହି ସମୟରେ ଓଁ ନମ୍‌ ଶିବାୟ ଧ୍ୱନୀରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

ମଜାଦାର କଥା ହେଲା ସେଠାରୁ ତ କିଛି ବାହାରି ନ ଥିଲା ହେଲେ ଏଥିପାଇଁ ପୂଜାରୀଙ୍କୁ ଏବେ ନାକେଦମ୍‌ ହେବାକୁ ପଡିଛି। ପୂଜାପାଠ ଚାଲିଥିବା ଖବର ପାଇ ପୋଲିସ୍‌ ଯେତେବେଳେ ସେଠାରେ ପହଞ୍ଚିଲା ଏତେ ବଡ଼ ଗାଢ଼ ଦେଖି ଚକିତ ହୋଇଯାଇଥିଲା। ପୂଜାରୀ ପାଖରୁ ସବୁ ଶୁଣିବା ପରେ ତାଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲା। ଏବେ ପୂଜାରୀ ସମେତ ଗ୍ରାମର କିଛି ଲୋକଙ୍କ ବିରୋଧରେ ଜାତୀୟ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।