ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସହଜ କଲେ କେନ୍ଦ୍ର ସରକାର, ଜାଣନ୍ତୁ ନୂଆ ପ୍ରକ୍ରିୟାଟି କ’ଣ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଏବେ ଆହୁରି ସହଜ ହୋଇଗଲା। ଏବେ ବିଭିନ୍ନ ପ୍ରକାରର ଡିଏଲ୍‌(ଡ୍ରାଇଭିଂ ଲାଇସେନ୍ସ) ପାଇଁ ଆଉ ଅଲଗା ଅଲଗା ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ଗୋଟିଏ ଫର୍ମ ପୂରଣ କରି ସହଜରେ ଡିଏଲ୍ ହାସଲ କରିପାରିବେ। ଡିଏଲ୍‌ ପ୍ରକ୍ରିୟାକୁ ସହଜ କରିବା ପାଇଁ କନ୍ଦ୍ର ସରକାର ମୋଟର ବାହନ ଅଧିନିୟମରେ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମ ଅନୁସାରେ ଆପଣ ଖୁବ୍ ସହଜରେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ।

ପୂର୍ବରୁ ଲର୍ଣ୍ଣିଂ ଡିଏଲ୍, ନୂଆ ଡିଏଲ୍, ଡିଏଲ୍‌ର ନବୀକରଣ କିମ୍ବା ସେଥିରେ ନାଁ ଓ ଠିକଣା ବଦଳାଇବାକୁ ହେଲେ ଅଲଗା ଅଲଗା  ଫର୍ମ ପୂରଣ କରିବାକୁ ପଡ଼ୁଥିଲା। ଏଥିପାଇଁ ଅନେକ ସମୟରେ ବିଭିନ୍ନ ସମସ୍ୟା ଦେଖା ଦେଉଥିଲା। ଏବେ ଅନଲାଇନ୍‌ରେ ମାତ୍ର ଗୋଟିଏ ଫର୍ମ ପୂରଣ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଦେଶର ସମସ୍ତ ରାଜ୍ୟରେ ଏହି ନିୟମ ୧ ଏପ୍ରିଲ୍‌ଠାରୁ ଲାଗୁ ହୋଇଛି। ଏହି ନିୟମ ଅନୁସାରେ ବ୍ୟକ୍ତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ ନୂଆ ଫର୍ମ ପୂରଣ କରିବେ।

ଏହି ନୂଆ ବ୍ୟବସ୍ଥା କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଲାଗୁ କରିଛି। ଏହି ଫର୍ମ  ବିଭାଗୀୟ ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ପରିବହନ ଅଧିକାରୀ ସଞ୍ଜୟ ନାଥ କହିଛନ୍ତି। ନୂଆ ଆଇନ୍‌ ଅନୁସାରେ ୧୯୮୯ ମୋଟର ବାହନ ଅଧିନିୟମକୁ ବଦଳାଇ ଦିଆଯାଇଛି। ନୂଆ ଆଇନ୍‌ରେ ଅଧିନିୟମ ରୁଲ୍ ୧୦,୧୪,(୧)୧୭(୧)କୁ  ସମାପ୍ତ କରିଦିଆଯାଇଛି। ଏଥିରେ ନିଜର ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ।