ମାରାତ୍ମକ ମଶାକୁ ଖୋଜିବ ଡ୍ରୋନ୍: ଚିହ୍ନଟ ପରେ ଆରମ୍ଭ ହେବ ନିପାତ ଅଭିଯାନ, କେଉଁଠି, କେମିତି ?

ଅହମ୍ମଦାବାଦ: ଆତଙ୍କବାଦୀଙ୍କ ପରେ ଏବେ ସାଇଲେଣ୍ଟ କିଲରଙ୍କ ପାଳି। ମଶାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବ ଡ୍ରୋନ। ଏନେଇ ଖୁବ ଶୀଘ୍ର ଗୁଜରାଟ ସରକାର ଏକ ଆକ୍ସନପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ରାଜ୍ୟରେ ଭୟାନକ ରୂପ ଧାରଣ କରିଥିବା ମ୍ୟାଲେରିଆକୁ ରୋକିବା ପାଇଁ ସରକାର ଏପରି ଏକ ଅଭିନବ ଉପାୟ ଆପଣାଇବାକୁ ଯାଉଛନ୍ତି।

ବୁଧବାର ଅହମ୍ମଦାବାଦ ପୌରପାଳିକ ନିଗମ ପକ୍ଷରୁ ମଶା ମୁକ୍ତ ମ୍ୟାଲେରିଆ ଅହମ୍ମଦାବାଦ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ଏଥିରେ ଯୋଗଦେଇ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଶଙ୍କର ଚୌଧୁରୀ ରାଜ୍ୟରେ ମଶାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ଖୁବଶୀଘ୍ର ଡ୍ରୋନ ମୁତୟନ କରିବାକୁ ସୂଚନା ଦେଇଥିଲେ। ସେ କହିଥିଲେ ଆତଙ୍କବାଦୀ ଆକ୍ରମଣରେ ମୁତ୍ୟୁ ଠାରୁ ମ୍ୟାଲେରିଆରେ ଅଧିକ ଲୋକଙ୍କ ପ୍ରାଣହାନି  ଘଟୁଛି। ଏହାକୁ ଆମେ ହାଲକାରେ ନେଉଛନ୍ତି।  କିନ୍ତୁ ଏହା ସାଇଲେଣ୍ଟ କିଲର୍ ଭଳି ଅନେକ ଲୋକଙ୍କ ଜୀବନ ନେଉଛି। ତେଣୁ ଏଭଳି ଘାତକ ବେମାରିକୁ ରୋକିବା ନିହାତି ଆବଶ୍ୟକ। ଏନେଇ ଏଏମସି ପକ୍ଷରୁ ଆସନ୍ତା ଦୁଇସପ୍ତାହ ମଧ୍ୟରେ ମଶାଙ୍କ ବଂଶ ବୃଦ୍ଧି ହେଉଥିବା ସ୍ଥାନଗୁଡିକୁ  ଚିହ୍ନଟ କରାଯିବ। ଡ୍ରୋନ ସାହାଯ୍ୟରେ ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର 104 ହେଲ୍ପ ଲାଇନ ମଧ୍ୟ ଜାରି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।