ଭାରତ-ପାକ୍‌ ସୀମାରେ ଉଡ଼ିଲା ଡ୍ରୋନ, ଗୁଳି କରି ଖସାଇଲା ବିଏସଏଫ

ଫିରୋଜପୁର: ଭାରତ-ପାକିସ୍ତାନ ସୀମାରେ ସନ୍ଦେହଜନକ ଭାବେ ଉଡ଼ୁଥିବା ଗୋଟିଏ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ବିଏସ୍‌ଏଫ୍‌। ସୋମବାର ମଧ୍ୟରାତ୍ରରେ ପଞ୍ଜାବର ଫିରୋଜପୁର ଜିଲ୍ଲା ଭାରତ-ପାକ୍ ସୀମାରେ ଏହି ଡ୍ରୋନଟି ଉଡ଼ୁଥିବା ଦେଖିବାକୁ ମିଳିଥିଲା।

ପ୍ରଥମେ ବିଏସଏଫ ଯବାନମାନେ ଏହାର ଗତିବିଧିକୁ ଯାଞ୍ଚ କରିଥିଲେ। ହଠାତ୍ ଡ୍ରୋନଟି କେଉଁ ଆଡ଼େ ଚାଲି ଯାଇଥିଲା। କିନ୍ତୁ କିଛି ସମୟ ପରେ ଡ୍ରୋନଟି ଟେଣ୍ଡିୱାଲା ଗାଁ ନିକଟ ଶାମେକେ ବର୍ଡରରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ୧୩୬ ବାଟାଲାୟନର ବିଏସ୍‌ଏଫ୍‌ ଯବାନମାନଙ୍କ ପକ୍ଷରୁ ଏହା ଉପରେ ଗୁଳି ମାଡ଼ କରାଯାଇଥିଲା। ଡ୍ରୋନଟି ସିଧା ତଳକୁ ଖସି ପଡ଼ିଥିଲା।

ଏବେ ଡ୍ରୋନଟିର ଯାଞ୍ଚ କରାଯାଉଛି। ପୂର୍ବରୁ ଏଭଳି ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ନିଶା ସାମଗ୍ରୀ ଭାରତକୁ ଆସୁଥିଲା।