ଅଭିନବ ପ୍ରତିବାଦ ଯୋଗୁ ମୃତ୍ୟୁମୁଖରେ କଏଦୀ, ଯେ କୌଣସି ମୁହୂର୍ତ୍ତରେ ଯାଇପାରେ ଜୀବନ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): “ପ୍ରତିବାଦର ନିଆରା ତରିକା। ଯେଉଁଥିପାଇଁ ଜୀବନ ଯିବାକୁ ବସିଲାଣି। ପେଟକୁ ଦାନା ଯାଉଛି, ପାଣି ବି ଯାଉଛି। ହେଲେ ୩୭ ଦିନ ହେଲା ନା ପରିସ୍ରା ଯାଉଛନ୍ତି ନା କରୁଛନ୍ତି ମଳତ୍ୟାଗ। ଯାହାକି ତାଙ୍କ ପାଇଁ ଏବେ ଘାତକ ହେବାକୁ ବସିଛି। ଯେ କୌଣସି ମୁହୂର୍ତ୍ତରେ ତାଙ୍କ ପ୍ରାଣ ଚାଲିଯାଇପାରେ।”
ଆପଣ ଏ କଥା ଶୁଣି ନିଶ୍ଚିତ ଚିନ୍ତାରେ ପଡିବେଣି। ଭାବୁଥିବା ଆମରଣ ଅନଶନ ପାଇଁ ଲୋକେ ଅନ୍ନଜଳ ଛାଡି ଦେଉଥିବା କଥାଟା ପ୍ରାସଙ୍ଗିକ ମନେ ହେଉଛି। କାରଣ ଅତିତରେ ଏମିତି ଘଟଣା ଅନେକ ଥର ଘଟିଛି। ହେଲେ ଏମିତି ଅନଶନ କଥା ଆପଣ କାନ ଉଠିଲା ଦିନୁ ଶୁଣି ନ ଥିବେ । ପ୍ରକାରାନ୍ତରେ କହିବାକୁ ଗଲେ ଆମରଣ ଅନଶନର ଏହା ଏକ ନୂଆ ଦିଗ।
ଆଜ୍ଞା ହଁ । ଘଟଣାଟି ସତ। ହେଲେ ଏହା ଆମ ଦେଶର ଘଟଣା ନୁହେଁ । ଘଟଣାଟି ବ୍ରିଟେନର । ଏଠାରେ ଜଣେ କଏଦୀ ଜେଲରେ ଏଭଳି ଅନଶନ କରିଥିବା କଥା ଏବେ ବିଶ୍ୱବ୍ୟାପୀ ରାଷ୍ଟ୍ର ହେଲାଣି। ଯିଏ ଶୁଣୁଛି କାବା ହେଉଛି। ଆପଣ ବି କଥାଟି ଶୁଣି କଏଦିଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛା କରୁଥିଲେ। ତା ହେଲେ ପଢନ୍ତୁ।
ଦକ୍ଷିଣ ଲଣ୍ଡନର ବ୍ରିକ୍ସଟନ୍‌ ସହରରେ ରହୁଥିବା ଜଣେ ବ୍ୟକ୍ତି ଡଗ୍ସ ସେବନ କରି କାର ଚଳାଉଥିଲେ। ଏହା ଜାଣିବା ପରେ ପୋଲିସ ପକ୍ଷରୁ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯିବା ପରେ ତାଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପୂର୍ବରୁ ପୋଲିସ ତାଙ୍କୁ ରିମାଣ୍ଡରେ ରଖିଛି। ହେଲେ ସେଠାରେ ତାଙ୍କର କୌଣସି ପ୍ରାଇଭେସି ରହୁନାହିଁ। ତାଙ୍କ ପାଖରେ ସବୁବେଳେ ୨ ଜଣ ପୋଲିସ ଅଧିକାରୀ ନିୟୋଜିତ ରହୁଛନ୍ତି। ଏଥିଯୋଗୁ ଅତିଷ୍ଠ ହୋଇ ଅଭିଯୁକ୍ତ ଜଣକ ୩୭ ଦନ ଧରି ଟଏଲେଟ୍‌ ଯାଇନାହାନ୍ତି ବୋଲି କହିଛନ୍ତି ତାଙ୍କ ଓକିଲ। ଆଉ କିଛିଦିନ ଏଭଳି ସ୍ଥିତି ଲାଗି ରହିଲେ ଅଭିଯୁକ୍ତଙ୍କ ଅବସ୍ଥା ଯେ, କ’ଣ ହେବ ସେ କଥା କିଏ କହିବ।