ଦକ୍ଷିଣ ଆଫ୍ରିକାକୁ ଝଟକା: ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ିଲେ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍‌ ୨-୧ରେ ହାରିବା ପରେ ଭାରତୀୟ ଟିମ୍‌ ଦିନିକିଆରେ ଦମଦାର କମ୍‌ବ୍ୟାକ୍‌ କରିଛି। ପ୍ରଥମ ଦିନିକିଆକୁ ଦଳ ୬ ୱିକେଟ୍‌ରେ ଜିତି ୬ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।  ଏପରି ସ୍ଥିତିରେ ଭାରତୀୟ ଟିମ୍‌ ପାଇଁ ଏକ ଖୁସି ଖବର ଆସିଥିବା ବେଳେ ଦକ୍ଷିଣ ଆଫ୍ରିକା ଶିବିରରେ ନିରାଶା ଖେଳି ଯାଇଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ତଥା ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁ ପ୍ଲେସିସ୍‌ ଆହତ କାରଣରୁ ବାକି ଦିନିକିଆରୁ ବାଦ୍‌ ପଡ଼ିଛନ୍ତି।

ପ୍ରଥମ ଦିନିକିଆରେ ପ୍ଲେସିସ୍‌ ୧୧୨ ବଲ୍‌ରେ ୧୨୦ ରନ୍‌ର ଧୂଆଁଧାର ଇଂନିସ୍‌ ଖେଳିଥିଲେ। ତେବେ ଏହି ମ୍ୟାଚ୍‌ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କ ଆଙ୍ଗୁଠି ଫ୍ୟାକ୍‌ଚର ହୋଇଯାଇଥିବା କୁହାଯାଉଛି। ଏହା ବି କୁହାଯାଉଛି ଯେ ପ୍ଲେସିସ୍ ଭାରତ ବିପକ୍ଷ ଟି-ଟ୍ୱଣ୍ଟି ସିରିଜ୍ ମଧ୍ୟ ଖେଳି ପାରିବେ ନାହିଁ।

ପ୍ଲେସିସଙ୍କ ସ୍ଥାନରେ ଅଲରାଉଣ୍ଡର ଫରହାନ ବେହରଦିନଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ସେହିପରି ହେନରିଚ କ୍ଲାସେନଙ୍କୁ ରିଜର୍ଭ ୱିକେଟ୍‌ କିପର ଭାବେ ଦଳରେ ନିଆଯାଇଛି। ହେନରିଚ ପ୍ରଥମ ଥର ପାଇଁ ଦିନିକିଆ ଟିମ୍‌ରେ ସାମିଲ ହୋଇଛନ୍ତି। ପ୍ଲେସିସ ବାଦ୍ ପଡ଼ିବା ପରେ ଦକ୍ଷିଣ ଆଫ୍ରିକା ଟିମ୍‌ର ଅଧିନାୟକ କିଏ ହେବ ସେ ନେଇ ଆଜି ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଦିନିକିଆ ସିରିଜ୍‌ ପୂର୍ବରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏଭି ଡିଭିଲିୟର୍ସ ଆହତ କାରଣରୁ ଟିମ୍‌ରୁ ବାଦ୍ ପଡ଼ିଥିଲେ। ତାଙ୍କୁ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ରୁ ବାଦ୍ ଦିଆଯାଇଛି।