ବୋନି କପୁରଙ୍କୁ ଜେରା କଲା ଦୁବାଇ ପୋଲିସ

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ତଦନ୍ତ ଚଳାଇଛି ଦୁବାଇ ପୋଲିସ। ଶ୍ରୀଦେବୀଙ୍କ ସ୍ୱାମୀ ତଥା ପ୍ରଯୋଜକ ବୋନି କପୁରଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ। ବୋନିଙ୍କ ବୟାନ ରେକର୍ଡ଼ କରାଯାଇଛି। ଦୁବାଇର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୋନି ହିଁ ପ୍ରଥମେ ଶ୍ରୀଦେବୀଙ୍କୁ ବାଥଟବ୍ ଭିତରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏହାପରେ ଶ୍ରୀଦେବୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଶ୍ରୀଦେବୀ ରହୁଥିବା ହୋଟେଲ୍ ଷ୍ଟାଫଙ୍କୁ ବି ପଚରାଉଚରା କରିଛି ଦୁବାଇ ପୋଲିସ।

ସେପଟେ ଶ୍ରୀଦେବୀଙ୍କ ମରଶରୀର ଭାରତ ଆଣିବା ପାଇଁ ଆଉ ଗୋଟିଏ କ୍ଲିଅରାନ୍ସର ଆବଶ୍ୟକତା ରହିଛି। ଯାହାର ପ୍ରକ୍ରିୟା ପ୍ରାୟତଃ ସଂପୂର୍ଣ୍ଣ ହୋଇଯାଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ତେଣୁ ଶ୍ରୀଦେବୀଙ୍କ ମରଶରୀର ଆଜି ମୁମ୍ବାଇରେ ପହଞ୍ଚିବାର ସମ୍ଭାବନା ଅଛି। ମୁମ୍ବାଇରେ ପହଞ୍ଚିବା ପରେ ସର୍ବସାଧାରଣରେ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରଖାଯିବ। ଜୁହୁର ପୱନ ହଂସ ମୁକ୍ତିଧାମରେ ଶ୍ରୀଦେବୀଙ୍କ ଶେଷକୃତ୍ୟ ହେବ। ଗତ ଶନିବାର ବିଳମ୍ବିତ ରାତିରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ମୃତ୍ୟୁର କାରଣ ହୃଦଘାତ ବୋଲି ସୂଚନା ମିଳିଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ପରେ ପାଣିରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।