ଲୋକ ବାହା ହେଉଛନ୍ତି, ତେଣୁ ଦେଶର ଅର୍ଥନୀତି ଠିକ୍ ଥିବା କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଦିନକୁ ହ୍ରାସ ପାଉଥିଲେ ହେଁ ଏହାକୁ କେନ୍ଦ୍ର ସରକାର ସ୍ୱୀକାର କରୁନାହାନ୍ତି। ଖାଲି ସେତିକି ନୁହେଁ, ଦେଶର ଅର୍ଥନୀତି ଯଦି ଠିକ୍‌ ନାହିଁ ତା’ହେଲେ ଲୋକମାନେ କେମିତି ବିବାହ କରୁଛନ୍ତି ବୋଲି କେନ୍ଦ୍ର ସରକାର ପ୍ରଶ୍ନ କରିବାକୁ ପଛାଉନାହାନ୍ତି।

ଦେଶର ଅର୍ଥନୀତି ହ୍ରାସ ପାଉଥିବାରୁ ବିରୋଧୀ ଦଳଗୁଡ଼ିକ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଏହାର ଜବାବ ଦେବାକୁ ଯାଇ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ୀ କହିଛନ୍ତି, “ବର୍ତ୍ତମାନ ଦେଶର ଅର୍ଥନୀତି ହ୍ରାସ ପାଉଛି ବୋଲି ସମସ୍ତେ ଅଭିଯୋଗ କରୁଛନ୍ତି। ହେଲେ ଏଭଳି ଅଭିଯୋଗ ଭୁଲ।

କାରଣ ଏବେ ଏୟାରପୋର୍ଟ ଓ ଟ୍ରେନ୍‌ରେ ଲୋକମାନେ ପୂର୍ଣ୍ଣ ସଂଖ୍ୟାରେ ଯିବା ଆସିବା କରୁଛନ୍ତି। ଲୋକମାନେ ବିବାହ ମଧ୍ୟ କରୁଛନ୍ତି। ଏହାର ଅର୍ଥ ଦେଶର ଅର୍ଥନୀତିକ ଅବସ୍ଥା ଠିକ୍‌ ଠାକ ରହିଛି। ପ୍ରତି ୩ ବର୍ଷରେ ଥରେ ଦେଶର ଅର୍ଥନୀତି ହ୍ରାସ ପାଏ ଏବଂ ଏହା ପୁଣିଥରେ ଉପରକୁ ଉଠେ। କିଛି ଲୋକ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଖରାପ କରିବାକୁ ଏଭଳି ଅଭିଯୋଗ କରୁଛନ୍ତି।”