ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡିର ମାରାଥନ ଜେରା

ଚଣ୍ଡିଗଡ଼: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ଆଜି ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାରାଥନ ଜେରା କରିଛି।

ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସ୍‌ର ମୁଖ୍ୟ ଥିବା ବେଳେ ଫାରୁକ ବ୍ୟାପକ ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଇଡିର ଚଣ୍ଡିଗଡ଼ ଅଫିସରେ ଫାରୁକ ହାଜର ହୋଇଥିଲେ। ପ୍ରିଭେନସନ ଅଫ ମନିଲଣ୍ଡରିଂ ଆଇନ୍‌ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଛି।

୩୮ କୋଟିର ଦୁର୍ନୀତି ନେଇ ପ୍ରଥମେ ସିବିଆଇ ୨୦୧୫ରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ଇଡି ମଧ୍ୟ ଏହି ମାମଲାରେ ମନି ଲଣ୍ଡରିଂ ନିରୋଧ ଆଇନ ଆଧାରରେ ମାମଲା ରୁଜୁ କରିଥିଲା।

ସିବିଆଇ ଏହି ଘଟଣାରେ ଫାରୁକ ଅବଦୁଲ୍ଲା ଓ ୩ ଜଣଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ବିସିସିଆଇ କ୍ରିକେଟ ମ୍ୟାଚ୍‌ ଓ ଖେଳର ଭିତ୍ତିଭୂମି ବିକାଶ କରିବାକୁ ଯେଉଁ ଅର୍ଥ ଦେଇଥିଲା, ଏହାକୁ ଫାରୁକ ଏବଂ ତାଙ୍କ ସହଯୋଗୀମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।