ମାଲ୍ୟାଙ୍କ ସହ ଜଡ଼ିତ ଫାର୍ମ ଉପରେ ଇଡି ଚଢ଼ଉ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଜଡ଼ିତ କିଛି ‘ଡମ୍ମି’ କମ୍ପାନୀ’ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ଏହି ସବୁ କମ୍ପାନୀ ବେଙ୍ଗାଲୁରୁରେ ଅଛି ଏବଂ ଏସବୁର ବ୍ୟବସାୟ ୨୨୦ କୋଟିରୁ ଊର୍ଦ୍ଧ୍ୱ ବୋଲି ସୂଚନା ମିଳିଛି।

ଗୁଇନ୍ଦା ତଥ୍ୟ ଆଧାରରେ ମାଲ୍ୟାଙ୍କ ଘନିଷ୍ଠ ସହଯୋଗୀ ଭି ଶଶିକାନ୍ତଙ୍କ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଇଡି ପକ୍ଷରୁ ଖାନ୍‌ତଲାସି ଏବଂ ବାଜ୍ୟାପ୍ତି ଅପରେସନ୍‌ କରିଥିଲା। ଶଶିକାନ୍ତ ଫେବୃଆରୀ ୨୦୧୭ ଯାଏ ମାଲ୍ୟାଙ୍କ ଗ୍ରୁପ୍‌ରେ ଜଣେ କର୍ମଚାରୀ ଥିଲେ। ୯ ବର୍ଷ ଧରି ସେ ମାଲ୍ୟାଙ୍କ ସହଯୋଗୀ ଥିଲେ ଏବଂ ୟୁନାଇଟେଡ୍‌ ବ୍ରିଉରୀଜ୍‌ ହୋଲ୍‌ଡିଂସ୍‌ ଲିମିଟେଡ୍‌ (ୟୁବିଏଚ୍‌ଏଲ୍‌) ନାମକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଥିଲେ।

ତଦନ୍ତରୁ ଜଣାପଡ଼ିଛି ୟୁବିଏଚ୍‌ଏଲ୍‌ କମ୍ପାନୀର ୟୁନାଇଟେଡ୍‌ ବ୍ରିଉରୀଜ୍‌ ଲିମିଟେଡ୍‌ (ୟୁବିଏଲ୍‌)ରେ ୧୦.୭୨% ଶେୟାର ଥିଲା। ଏହି କମ୍ପାନୀ ୟୁବିଏଲ୍‌ ଉତ୍ପାଦିତ କିଙ୍ଗଫିଶର ବିୟର ଏବଂ ୟୁନାଇଟେଡ୍‌ ବ୍ରିଉରୀଜ୍‌ ଇଣ୍ଟରନ୍ୟାସନାଲ ଟ୍ରେଡିଂ ଲିମିଟେଡ୍‌ ଉତ୍ପାଦିତ ଜୋତା ରପ୍ତାନୀ କରୁଥିଲା। ୟୁବିଏଲ୍‌ରେ ୟୁବିଏଚ୍‌ଏଲ୍‌ର ଶେୟାର ଇଡି ବ୍ୟାଜ୍ୟାପ୍ତ କରିବା ସହ ୟୁବିଏଚ୍‌ଏଲ୍‌କୁ ବନ୍ଦ କରିସାରିଛି।

ବିଜୟ ମାଲ୍ୟା ବିଦେଶ ପଳାଇଯିବା ପରେ ୟୁବିଏଚ୍‌ଏଲ୍‌ର ବ୍ୟବସାୟ ଇଡି ବନ୍ଦ କରିଦେଇଥିଲା। ଏହାପରେ ଶଶିକାନ୍ତ ୟୁନାଇଟେଡ୍‌ ବ୍ରାଣ୍ଡିଂ ୱାର୍ଲ୍ଡୱାଇଡ୍‌ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲା। ତାଙ୍କ ପତ୍ନୀ ଜୟନ୍ତୀ ଶଶିକାନ୍ତ ଏବଂ ଝିଅ ଅର୍ଚ୍ଚିତା ଏହି କମ୍ପାନୀରେ ପାର୍ଟନର ଅଛନ୍ତି। ଏହି ପାର୍ଟନରଶିପ୍‌ ଫାର୍ମ ୟୁବିଏଚ୍‌ଏଲ୍‌ର ବ୍ୟବସାୟ ଅଧିଗ୍ରହଣ କରି କିଙ୍ଗଫିଶର ବିୟର ଏବଂ ଜୋତା ରପ୍ତାନୀରୁ ବାର୍ଷିକ ୨୨୦ କୋଟିରୁ ଊର୍ଦ୍ଧ୍ୱ ଆୟ କରୁଥିଲା।