ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲା: ୨୪ ଘଣ୍ଟାରେ ମୃତବ୍ୟକ୍ତି ବଞ୍ଚିଗଲେ!

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୪ ଘଣ୍ଟାରେ ଦୁଇଥର ବୟାନ ବଦଳାଇଛନ୍ତି।

ଏହି ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ କୁହାଯାଉଥିବା କେକେ ଖୋସଲାଙ୍କୁ ଇଡି ପକ୍ଷରୁ ଗତକାଲି କୋର୍ଟରେ ମୃତ ବୋଲି ଦର୍ଶାଯାଇଥିଲା। ତେବେ ଆଜି ଶୁଣାଣି ବେଳେ ଶ୍ରୀ ଖୋସାଲ ବଞ୍ଚିଛନ୍ତି ଏବଂ କୋର୍ଟ ଯେତେବେଳେ ଚାହିଁବେ ସେ ହାଜର ହୋଇ ବୟାନ ଦେବେ ବୋଲି ଇଡି କହିଛି।

ଅଗୁଷ୍ଟା ହେଲିକପ୍ଟର କିଣା ଦୁର୍ନୀତିର ଶୁଣାଣି କରୁଥିବା ସ୍ୱତନ୍ତ୍ର କୋର୍ଟଙ୍କୁ ଗତକାଲି ଇଡି କହିଥିଲା, “ଆମେ ଯେତେବେଳେ ବି ଖୋସଲାଙ୍କ ଘରୁକୁ ଯାଉଛୁ, ତାଙ୍କୁ ପାଉନାହୁଁ। ବୋଧେ ତାଙ୍କର ଦେହାନ୍ତ ହୋଇସାରିଛି।” ତେବେ ଆଜି ତଦନ୍ତକାରୀ ସଂସ୍ଥା ନିଜ ବୟାନ ବଦଳାଇଛି।

ଇଡି କହିଛି ଯେ “ଏବେ ଖୋସଲା ବଞ୍ଚିଥିବା ଆମେ ଜାଣିବାକୁ ପାଇଛୁ। ଏକଥା ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଛନ୍ତି। ତେଣୁ ଏବେ କୋର୍ଟଙ୍କ ଦରକାର ବେଳେ ସେ ଏଠାରେ ହାଜର ହୋଇପାରିବେ।”

ଇଡିର କହିବା ଅନୁଯାୟୀ, ଖୋସଲା ଏହି ହେଲିକପ୍ଟର ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ। ତାଙ୍କ ଠାରୁ କିଏ ସବୁ ଟଙ୍କା ନେଇଥିଲେ, ସେମାନଙ୍କ ନାଁ ଓ ଠିକଣା ତାଙ୍କ ପାଖରେ ରହିଛି। ତେଣୁ ସେ କୋର୍ଟରେ ହାଜର ହେବା ନିହାତି ଜରୁରୀ। ଏହାପରେ କୋର୍ଟ ଖୋସଲାଙ୍କୁ ଆସନ୍ତାକାଲି ହାଜର ହେବାକୁ କହିଛନ୍ତି।

ଏହି ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାଁ ରହିଛି। ସେ ଏହି ୩୬,୦୦୦ କୋଟିର ହେଲିକପ୍ଟର ଡିଲ୍‌ରେ ବ୍ୟାପକ ଟଙ୍କା ନେଇଥିବା ଇଡି ଜାଣିବାକୁ ପାଇଛି। ଆସନ୍ତାକାଲି ଠାରୁ ରତୁଲ ପୁରୀ କୋର୍ଟରେ ନିଜ ପକ୍ଷ ରଖିବେ। ତେଣୁ ଖୋସଲାଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ସମନସ୍ ଯାଇଛି।