ମେହୁଲ ଚୋକ୍‌ସିଙ୍କ ଦୁବାଇ ସମ୍ପତ୍ତି ଜବତ

ନୂଆଦିଲ୍ଲୀ:ପିଏନ୍‌ବି ଋଣ ଜାଲିଆତି ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଦୁବାଇସ୍ଥିତ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦୁବାଇରେ ବ୍ୟବସାୟିକ ସମ୍ପତ୍ତି, ମର୍ସିଡିଜ୍ କାର୍, ଏକ ଫିକ୍ସଡ୍‌ ଡିପୋଜିଟ୍‌ ଆକାଉଣ୍ଟ ଏବଂ ଅନ୍ୟ ମୂଲ୍ୟବାନ ସମ୍ପତ୍ତି ଜବତ କରାଯାଇଛି। ୧୩୫୦୦ କୋଟି ଟଙ୍କାର ପିଏନ୍‌ବି ଋଣ ଜାଲିଆତି ମାମଲାରେ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି ଏହି ସମ୍ପତ୍ତି ଜବତ କରିଛି।

ଶେଷ ଖବର ସୁଦ୍ଧା ଇଡି ୨,୫୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି। ଇଡି ପକ୍ଷରୁ କୁହାଯାଇଛି, ଚୋକ୍‌ସିଙ୍କ ସମ୍ପତ୍ତିର ମୂଲ୍ୟ ୬ ହଜାର କୋଟିରୁ ଊର୍ଦ୍ଧ୍ୱ ହେବ।

ଏହି ପଳାତକ ହୀରା ବ୍ୟବସାୟୀ ପୂର୍ବରୁ ଦ୍ୱୀପଦେଶ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିଲେ। ସେ ଗତ ବର୍ଷ ଜାନୁଆରୀରୁ ଏଠାରେ ରହିଆସୁଛନ୍ତି। ପ୍ରତ୍ୟର୍ପଣ ଏଡ଼ାଇବା ପାଇଁ ସେ ବହୁଦିନ ଧରି ଅସୁସ୍ଥ ଥିବା ଦର୍ଶାଇ ଆସୁଛନ୍ତି।