ରାକ୍ଷସ ରୂପୀ ଶିକ୍ଷକ: ଛାତ୍ରୀକୁ ବଳାତ୍କାର କରୁଥିଲେ ୮ ଶିକ୍ଷକ, ଛୋଟଛୁଆଙ୍କ ସମ୍ମୁଖରେ ଉଲଗ୍ନ ହେଉଥିଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନ ଓ ଗୁଜରାଟରେ ଏମିତି ଦୁଇଟି ଘଟଣା ଘଟିଛି ଯାହା ବିଶ୍ୱାସ ବାହାରେ। ଅମାନବିକତା ଓ ଅଶ୍ଳୀଳତାର ସବୁ ସୀମା ଟପି ଯାଇଛନ୍ତି ୮ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ। ଆଉ ପାଲଟି ଯାଇଛନ୍ତି ରାକ୍ଷସ। ସେମାନେ ଯାହା କରିଛନ୍ତି, ତାହା ଜଣେ ରାକ୍ଷସ ହିଁ କରିପାରେ।

ରାଜସ୍ଥାନର ବିକାନେରର ସାଜନବାସୀ ଗାଁର ସରସ୍ୱତୀ ଶିକ୍ଷଣ ସଂସ୍ଥାନ ନାମକ ଏକ ସ୍କୁଲରେ ଜଣେ ୧୩ ବର୍ଷୀୟ ଛାତ୍ରୀଙ୍କୁ ଆଠ ଜଣ ଶିକ୍ଷକ ଦେଢ଼ ବର୍ଷ ଧରି ବଳାତ୍କାର କରି ଆସୁଥିବା ଜଣାପଡ଼ିଛି। ଦିନେ ଏହି ଶିକ୍ଷକମାନେ ଛାତ୍ରୀ ଜଣଙ୍କୁ ଏକ ଶ୍ରେଣୀ ଗୃହରେ ଭର୍ତ୍ତି କରି ତାଙ୍କର ସମସ୍ତ ପୋଷାକ ଖୋଲି ଦେଇଥିଲେ ଏବଂ ମୋବାଇଲ୍‌ରେ ତାଙ୍କ ଭିଡିଓ ଉଠାଇଥିଲେ।  ଏହି ଭିଡିଓକୁ ଇଣ୍ଟରନେଟ୍‌ରେ ଛାଡ଼ି ଦେବାର ଧମକ ଦେଇ ସେମାନେ ଦେଢ଼ ବର୍ଷ ଧରି ଝିଅଟିକୁ ଧର୍ଷଣ କରୁଥିଲେ। ସ୍କୁଲ୍ ଛୁଟି ହେବା ପରେ ସେମାନେ ତାଙ୍କୁ ବଳାତ୍କାର କରୁଥିଲେ। ମୁହଁ ଖୋଲିଲେ ତାକୁ ମାରି ଦେବାର ବି ଧମକ ଦିଆଯାଇଥିଲା। ଝିଅଟି କାଳେ ଗର୍ଭବତୀ ହୋଇଯିବ, ସେଥିପାଇଁ ତାକୁ ଗର୍ଭନିରୋଧକ ବଟିକା ଖାଇବାକୁ ଦେଉଥିଲେ। ଏହି ଶିକ୍ଷକ ରୂପୀ ରାକ୍ଷସମାନେ ତାଙ୍କୁ ଏତେ ପରିମାଣରେ ଗର୍ଭନିରୋଧକ ଖୁଆଇ ଥିଲେ ଯେ ଶେଷରେ ତାକୁ କ୍ୟାନସର ହୋଇଗଲା। ଝିଅଟିକୁ ଏବେ ପିବିଏମ୍ ହସ୍‌ପିଟାଲ୍‌ର କ୍ୟାନସର ୱାର୍ଡରେ ରଖାଯାଇଛି।

ଶିକ୍ଷକଙ୍କ ଶୋଷଣରେ ଅତିଷ୍ଠ ହୋଇ ଝିଅଟି ତା’ମାକୁ ସବୁ କଥା କହିବା ପରେ ଏ ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା। ଏହି ୮ ଶିକ୍ଷକ ଫେରାର ହୋଇଯାଇଛନ୍ତି। ସେମାନେ ବୀରେନ୍ଦ୍ର, ବିକ୍ରମ, ବିକାଶ, ପବନ, ହନୁମାନ, ରୋହିତ, ଦୁଲୀଚନ୍ଦ ଓ ବିଜେନ୍ଦ୍ର ବୋଲି ଜଣାପଡ଼ିଛି।

ଅନ୍ୟ ଏକ ଘଟଣାରେ ଗୁଜରାଟର ଜଣେ ଶିକ୍ଷୟିତ୍ରୀ ଅଶ୍ଳୀଳତାର ସବୁ ସୀମା ଟପି ଯାଇଛନ୍ତି। ପୋରବନ୍ଦରର ସାରଦା ବିଦ୍ୟା ମନ୍ଦିରରେ ଏହି ଶିକ୍ଷୟିତ୍ରୀ ଜଣଙ୍କ ଛୋଟ ଛୋଟ ପିଲାଙ୍କୁ ଏକ ରୁମ୍‌ରେ ଭର୍ତ୍ତି କରି ଉଲଗ୍ନ ହୋଇଯାଉଥିଲେ ଓ ଅଶ୍ଳୀଳ କାର୍ଯ୍ୟ କରୁଥିଲେ। ସେ ଉଲଗ୍ନ ହୋଇ ପିଲାଙ୍କ ସମ୍ମୁଖରେ ନାଚ ମଧ୍ୟ କରୁଥିଲେ। ଏ ବିଷୟରେ କାହାକୁ ନ କହିବାକୁ ଧମକ ବି ଦେଉଥିଲେ। ଜଣେ ଛାତ୍ର ଏ ବିଷୟରେ ତା ବାପାମା’ଙ୍କୁ କହିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା। ଏହା ପରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ସେମାନେ ଅଭିଯୋଗ କରିଥିଲେ। ପଚରାଉଚରା ବେଳେ ପିଲାଏ ଏହି ଶିକ୍ଷୟିତ୍ରୀ କୁକର୍ମ ବିଷୟରେ କହିଥିଲେ। ପୋଲିସ୍ ଏହି ଶିକ୍ଷୟିତ୍ରୀ ଜଣଙ୍କୁ ଗିରଫ କରିଛି।