ଏକ ସନ୍ତାନ ନୀତିରୁ ଓହରିଲା ଚୀନ୍

ବେଜିଂ: ବିବାଦୀୟ ଏକ ସନ୍ତାନ ନୀତିରୁ ଓହରି ଯାଇଛି ବିଶ୍ୱର ଜନବହୁଳ ରାଷ୍ଟ୍ର ଚୀନ୍। ସମସ୍ତ ଚୀନା ଦମ୍ପତ୍ତି ଏଣିକି ଦୁଇଟି ଲେଖାଏଁ ସନ୍ତାନ ଜନ୍ମ କରିପାରିବେ। ଆଗାମୀ ୫ ବର୍ଷ ଭିତରେ ଦେଶକୁ ଦ୍ୱିତୀୟ ବୃହତ୍ତ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ ବେଜିଂରେ ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆୟୋଜିତ ୪ ଦିନିଆ ବୈଠକ ଶେଷରେ ସେଠା ସରକାର ଏଇ ନିଷ୍ପତ୍ତି ନେଇଥିବା ଜିନହୁଆ ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ବହୁ ବର୍ଷ ଧରି ଚୀନରେ ଏକ ସନ୍ତାନ ନୀତି କାର୍ଯ୍ୟକାରୀ ହୋଇ ଆସୁଛି। ଏଥିଯୋଗୁଁ ଲିଙ୍ଗଗତ ଅସନ୍ତୁଳନତା ସାଙ୍ଗକୁ ଦେଶରେ କାର୍ଯ୍ୟଶକ୍ତି ଦ୍ରୁତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହିସବୁ କାରଣରୁ ଏକ ସନ୍ତାନ ନୀତିକୁ ପରିତ୍ୟାଗ କରିବାକୁ ଚୀନ୍ ନିଷ୍ପତ୍ତି ନେଇଛି।