ଖୋଲିଲା ନିର୍ବାଚନ କମିଶନଙ୍କ ନୂତନ ୱେବସାଇଟ, ଜାଣନ୍ତୁ କି କି ସୁବିଧା ରହିଛି ଏଥିରେ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ https://eci.gov.inକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୋଚନ କରିଛନ୍ତି। ସମ୍ପୂର୍ଣ୍ଣ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ବ୍ୟବହାର କରି ଯେକୌଣସି ଲୋକ ବେଶ ସହଜରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସାର୍ବଜନୀନ ହେଉଥିବା ସମସ୍ତ ତଥ୍ୟ ପାଇପାରିବେ।

ବ୍ୟବହାରକାରୀମାନେ କେଉଁଭଳି ସହଜରେ ଏହାକୁ ପରିଚାଳନା କରିପାରିବେ, ସେଥିପ୍ରତି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ୱେବସାଇଟ୍‌ରୁ ଲୋକମାନେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ପ୍ରତ୍ୟେକ ସୂଚନା ହାସଲ କରାଯାଇପାରିବେ। ଏହି ୱେବସାଇଟକୁ ଡେସ୍କଟପ୍, ମୋବାଇଲ ଓ ଟ୍ୟାବଲେଟ୍‌ରେ ମଧ୍ୟ ଖୋଲା ଯାଇପାରିବ। ଆଇଫୋନ୍/ ଆଣ୍ଡ୍ରଏଡ ଏବଂ ଅନ୍ୟାନ୍ୟ ଡିଭାଇସରେ ମଧ୍ୟ ଏହାକୁ ପରିଚାଳନା କରିବା ସହଜ। ଡିଭାଇସର ସ୍କ୍ରିନ ସାଇଜକୁ ନେଇ ୱେବସାଇଟ ସ୍ୱୟଂ ନିଜର ଡିସପ୍ଲେ ସାଇଜ ପ୍ରସ୍ତୁତ କରିନେବ।

ନିର୍ବାଚନ କମିଶନ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ତଥ୍ୟ ଅଲଗା ଅଲଗା ଏହି ୱେବସାଇଟରେ ସ୍ୱତନ୍ତ୍ର ଭାବେ ସୂଚିତ ହୋଇଛି।

ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ ଏହାକୁ ଉନ୍ମୋଚିତ କରି କହିଛନ୍ତି,“ଆମେ ଆମର ନୂଆ ୱେବସାଇଟକୁ ନେଇ ବହୁତ ଉତ୍ସାହିତ। ଏବେ ଦେଶର ଯେକୌଣସି ନାଗରିକ ନିର୍ବାଚନ କମିଶନଙ୍କ ୱେବସାଇଟକୁ ଯାଇ ଅକ୍ଳେଶରେ ସମସ୍ତ ତଥ୍ୟ ସହଜରେ ପାଇପାରିବେ। ଏହି ୱେବସାଇଟ ଦେଶରେ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ଅନୁଷ୍ଠିତ କରାଇବାକୁ କମିଶନଙ୍କ ପ୍ରତିବଦ୍ଧତାକୁ ସୂଚାଉଛି ।”

ୱେବସାଇଟର ବିଶେଷତ୍ୱ ମଧ୍ୟରେ ଏହାର ସ୍ପିଡ୍, ତଥ୍ୟ ହାସଲ କରିବାର ସୁବିଧା, ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ସହଜରେ ପାଇପାରିବା ଭଳି ବ୍ୟବସ୍ଥା ରହିଛି। ତେବେ ପୁରୁଣା ୱେବସାଇଟ ସହ ଲୋକମାନେ ଅଧିକ ପରିଚିତ ଥିବାରୁ ନିର୍ବାଚନ କମିଶନ ନୂତନ ୱେବସାଇଟ ସହ ପୁରୁଣା ୱେବସାଇଟ https://eci.nic.inକୁ ମଧ୍ୟ କିଛି ଦିନ ପାଇଁ କାଏମ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ୱେବସାଇଟରେ ପ୍ରାଥମିକ ଭାବେ ସିଟିଜେନ୍ସ, ଇଲେକ୍ଟର୍ସ, କ୍ୟାଣ୍ଡିଡେଟ୍ସ, ପଲିଟିକାଲ ପାର୍ଟି, ରିସର୍ଚ୍ଚର୍ସ, ମିଡିଆ ଏବଂ ଇସିଆଇ ଅଫିସିଆଲସ ସେକ୍ସନ ରଖାଯାଇଛି । ସାଇବର ନିରାପତ୍ତା ଦିଗରୁ ନୂତନ ୱେବସାଇଟ ସମ୍ପୂର୍ଣ୍ଣ ସୁରକ୍ଷିତ।