‘ପର୍ଯ୍ୟାୟକ୍ରମେ ନିର୍ବାଚନୀ ଇସ୍ତାହାର ଘୋଷଣା ଆଚରଣ ବିଧି ଉଲ୍ଲଂଘନ’

ନୂଆଦିଲ୍ଲୀ: ଭୋଟ ପଡ଼ିବାର ୪୮ ଘଣ୍ଟା ପୂର୍ବରୁ ରାଜନୈତିକ ଦଳ ମାନଙ୍କୁ ନିଜ ଇସ୍ତାହାର ପତ୍ର ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ପର୍ଯ୍ୟାୟକ୍ରମେ ନିର୍ବାଚନ ହେଉଥିଲେ ମଧ୍ୟ ନିର୍ବାଚନୀ ଇସ୍ତାହାର ପର୍ଯ୍ୟାୟକ୍ରମେ ରାଜନୈତିକ ଦଳ ଘୋଷଣା କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଯଦି ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାର ପ୍ରଥମ ପର୍ଯ୍ୟାୟ ଭୋଟ ପଡିବା ପରେ ଘୋଷଣା କରନ୍ତି ତାହାଲେ ଏହାକୁ ଆଚରଣ ବିଧି ଉଲ୍ଲଂଘନ ବୋଲି ଗ୍ରହଣ କରାଯିବ। ଏ ନେଇ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ଏଥିସହ ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ଅର୍ଥାତ୍ ଭୋଟ ପଡିବାର ୪୮ ଘଣ୍ଟା ଭିତରେ ନେତାମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ବାରଣ କରିଛନ୍ତି ।

ସୂଚନାଯୋଗ୍ୟ ଏପ୍ରିଲ ୧୧ରୁ ମେ ୨୯ ଯାଏଁ ନିର୍ବାଚନ କମିଶନ ୭ଟି ପର୍ଯ୍ୟାୟରେ ମତଦାନ ହେବ। ମେ ୨୩ରେ ଭୋଟ ଗଣତି ହେବ ବୋଲି ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ କମିଶନ ଘୋଷଣା କରିଥିଲେ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚଳିତ ମାସ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିଦିନ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରମାନେ ନାମାଙ୍କନ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତାରିଖ ମାର୍ଚ୍ଚ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।