ଇନ୍‌କମ୍ ଟ୍ୟାକ୍ସ ରେଡ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ନିର୍ବାଚନ କମିଶନ୍‌

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନିକଟତର ଲୋକଙ୍କ ଘରେ ହୋଇଥିବା ଇନ୍‌କମ୍‌ ଟ୍ୟାକ୍ସ ରେଡ୍ ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇ ନଥିଲା। ନିର୍ବାଚନ କମିଶନ୍‌ ଏହା ସ୍ପଷ୍ଟ କରିଛନ୍ତି। ଏହାପରେ ଅସନ୍ତୋଷ ପ୍ରକାଶ କରି ସମସ୍ତ ତଦନ୍ତକାରୀ ସଂସ୍ଥାକୁ ଆଚରଣ ବିଧି ଲାଗୁ ବେଳେ କୌଣସି ସ୍ଥାନରେ ରେଡ୍ ପୂର୍ବରୁ ଅବଗତ କରାଇବାକୁ କହିଛନ୍ତି ନିର୍ବାଚନ କମିଶନ। ଯଦି ରେଡ୍ ହେବ ବୋଲି ଜଣାଥିଲା ତା’ହେଲେ କାହିଁକି ରାଜ୍ୟ ନିର୍ବାଚନ କମିଶନ୍‌ କିମ୍ବା କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅବଗତ କରାଇ ନଥିଲ ବୋଲି ଆଇଟି ବିଭାଗକୁ କେନ୍ଦ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଅରୋରାପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ବେଆଇନ ହାୱାଲା ଟ୍ରାଞ୍ଜାକସନ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୂର୍ବତନ ପ୍ରାଇଭେଟ୍‌ ସେକ୍ରେଟେରୀ ପ୍ରବୀଣ କକ୍କରଙ୍କ ଇନ୍ଦୋର ସ୍ଥିତ ବାସଭବନ, ପୂର୍ବତନ ପରାମର୍ଶଦାତା ରାଜେନ୍ଦ୍ର କୁମାର ମିଗଲାନିଙ୍କ ଦିଲ୍ଲୀ ସ୍ଥିତ ଭବନରେ ଇନକମ୍ ଟ୍ଯାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଥିଲା। ପ୍ରାଥମିକ ଭାବେ ୯ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ହୋଇଥିବା ଜଣାପଡ଼ିଥିବା ବେଳେ ରେଡ୍ ଶେଷ ହେବା ପରେ ୨୮୧ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ହୋଇଥିବା ଜଣାପଡ଼ିଛି।

ତେବେ ଏହି ରେଡ୍ କେନ୍ଦ୍ର ସରକାରର ଇଙ୍ଗିତରେ କରାଯାଇଥିବା କଂଗ୍ରେସ ଅଭିଯୋଗ କରିବା ପରେ ରାଜନୀତିକ ଆରୋପ ପ୍ରତ୍ୟାରୋପ ଅଧିକ ହୋଇଛି। ନିର୍ବାଚନ କମିଶନ୍‌ ରେଡ୍ ବାବଦରେ ଜାଣିଛନ୍ତି କି ନାହିଁ ବିରୋଧୀ ଦଳ ପ୍ରଶ୍ନ କରିବା ପରେ ନିର୍ବାଚନ କମିଶନ୍‌ ନିଜର ପକ୍ଷ ରଖି ତଦନ୍ତ ସଂସ୍ଥା ଗୁଡ଼ିକୁ ଚେତାବନୀ ଦେଇଛନ୍ତି।