ପ.ବଙ୍ଗରେ ହିଂସା: ନିର୍ବାଚନ କମିଶନ ନେଲେ କଠୋର ନିଷ୍ପତ୍ତି

ଦିନକ ଆଗରୁ ସରିବ ପ୍ରଚାର, ବରିଷ୍ଠ ଅଫିସରଙ୍କୁ ତତ୍କାଳ ବଦଳି ନିର୍ଦ୍ଦେଶ ପ୍ରଥମ ଥର ପାଇଁ ଧାରା ୩୨୪ର ପ୍ରୟୋଗ

କୋଲକାତା: ବୁଧବାର ନିର୍ବାଚନ କମିଶନ ପଶ୍ଚିମବଙ୍ଗର ୯ ଲୋକସଭା ଆସନରେ ୨୦ ଘଣ୍ଟା ଆଗରୁ ପ୍ରଚାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଶୁକ୍ରବାର ସନ୍ଧ୍ୟା ୬ଟା ବଦଳରେ ଗୁରୁବାର ରାତି ୧୦ଟାରେ ହିଁ ଏଠାରେ ପ୍ରଚାର ସରିବ। ସେହିପରି ରାଜ୍ୟର ବରିଷ୍ଠ ଅଫିସରଙ୍କୁ ତତ୍କାଳ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ହିଂସା ଚରମ ସୀମାରେ ପହଞ୍ଚିଥିବାରୁ ନିର୍ବାଚନ କମିଶନ ଏଭଳି କଠୋର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ କର୍ତ୍ତୃପକ୍ଷ କହିଛନ୍ତି, “ଦମ୍‌ଦମ୍‌, ବରାସତ୍‌, ବସିରହାଟ୍‌, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତ୍ତର କୋଲକାତାରେ ଆସନ୍ତାକାଲି ରାତି ୧୦ଟା ପରଠାରୁ ନିର୍ବାଚନ ସରିବାଯାଏ କୌଣସି ନିର୍ବାଚନ ପ୍ରଚାର ହେବନାହିଁ।”

ଅନ୍ୟପକ୍ଷରେ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ବାଚନୀ ଶୋଭାଯାତ୍ରାରେ ହୋଇଥିବା ହିଂସାକାଣ୍ଡ ପାଇଁ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ପ୍ରମୁଖ ସେକ୍ରେଟାରୀ ଏବଂ ହୋମ୍‌ ସେକ୍ରେଟାରୀଙ୍କୁ ଛୁଟିରେ ପଠାଇଦେଇଛନ୍ତି।

ଇସି ପ୍ରଥମ ଥର ପାଇଁ ସମ୍ବିଧାନର ଧାରା ୩୨୪ର ପ୍ରୟୋଗ କରିଛନ୍ତି। ଇସି କହିଛନ୍ତି, ଆଇନ ଅମାନ୍ୟ କରିବା ଏବଂ ହିଂସାକାଣ୍ଡ ଭିଆଇବା ପୁଣି ଥରେ ଘଟିଲେ ଏପରି କାର୍ଯ୍ୟାନୁଷ୍ଠାନ ପୁଣି ଗ୍ରହଣ କରାଯିବ। ଏଥିରେ ଇସିଙ୍କୁ ‘ନିର୍ବାଚନର ପର୍ଯ୍ୟବେକ୍ଷଣ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ’ କ୍ଷମତା ଦିଆଯାଇଛି।

ଇସି ଗତକାଲିର ହିଂସାକାଣ୍ଡକୁ ନେଇ ନିନ୍ଦା କରିବା ସହ କହିଥିଲେ, ହିଂସାକାଣ୍ଡକୁ ନେଇ ଏବଂ ବିଦ୍ୟାସାଗରଙ୍କ ମୂର୍ତ୍ତିଭଙ୍ଗା କମିଶନଙ୍କୁ ଗଭୀର ଆଘାତ ଦେଇଛି।

ନିର୍ବାଚନ କମିଶନ ସିଆଇଡି ଏଡିଜି ରାଜୀବ କୁମାରଙ୍କ ଦାୟିତ୍ୱ ଅପସାରଣ କରିବା ସହ ଆସନ୍ତାକାଲି ସକାଳେ ଗୃହ ମନ୍ତ୍ରଣାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ପଶ୍ଚିମବଙ୍ଗ ସରକାରଙ୍କ ଗୃହ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଅତ୍ରି ଭଟ୍ଟାଚାର୍ଯ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଥିବାରୁ ତାଙ୍କୁ ମଧ୍ୟ ଦାୟିତ୍ୱରୁ ଅପସାରଣ କରିଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବ ବର୍ତ୍ତମାନ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ପ୍ରଚାର ସରିନଥିବାବେଳେ ହିଂସାକାଣ୍ଡ ଏବଂ ବ୍ୟକ୍ତିଗତ ଆକ୍ଷେପ ଚରମସୀମାରେ ପହଞ୍ଚିଛି। ଏହି ହିଂସା ପାଇଁ ଉଭୟ ଟିଏମ୍‌ସି ଏବଂ ବିଜେପି ପରସ୍ପରକୁ ଦୋଷ ଦେଇ ଆସୁଛନ୍ତି।