ବିଚ୍‌ ରାସ୍ତାରେ ବଟି ଆଦାୟ କରୁଛି ହାତୀ

ନୂଆଦିଲ୍ଲୀ: ହାତୀ କଥା ଆସିଲେ ଆମ ମନକୁ ୨-୩ଟି ଶୀର୍ଷକ ଆପେ ଚାଲିଆସେ। ଯେମିତିକି ଜନବସତିକୁ ପଶି ଆସିଲେ ହାତୀ, ବଣୁଆ ହାତୀଙ୍କ ଉନ୍ମତ୍ତ କାଣ୍ଡ କିମ୍ବା ଦଳିଦେଲା ହାତୀ ଇତ୍ୟାଦି। କିନ୍ତୁ ଆମେ ଯେଉଁ ହାତୀ ବିଷୟରେ କହୁଛୁ ସେ ଟିକେ ନିଆରା। ଏଠି ଗଜରାଜ ବଟି ଆଦାୟ ମୁଦ୍ରାରେ ଅଛନ୍ତି।

ଆଜ୍ଞା ହଁ ସମ୍ପୂର୍ଣ୍ଣ ବଣୁଆ ହୋଇଥିଲେ ମଧ୍ୟ ରାସ୍ତା ଉପରେ ଆରାମରେ ଠିଆ ହୋଇ ବଟି ଆଦାୟ କରୁଥିବା ଏହି ହାତୀର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ହାତୀଟି କାହାରିକୁ ଆକ୍ରମଣ ନକରି କିଛି ନଜାଣିବା ପରି କେବଳ ଖାଦ୍ୟକୁ ଅନାଇ ରହିଛି।

ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକ ଏହି ହାତୀକୁ ଦେଖି ଅଟକୁଛନ୍ତି ଏବଂ ଏହାକୁ ଅତିକ୍ରମ କରି କିପରି ଆଗକୁ ଯିବେ ସେନେଇ ଭାଳେଣିରେ ପଡ଼ୁଛନ୍ତି। କିନ୍ତୁ ପରେ ଦେଖାଯାଉଛି ସେମାନେ ଗଜରାଜଙ୍କୁ ବଟି ସ୍ୱରୂପ ଫଳ ବା ଅନ୍ୟ କିଛି ଖାଦ୍ୟ ଲାଞ୍ଚ ଦେଇ ପାର ହୋଇଯାଉଛନ୍ତି। ଆଉ ଏହି ବଟି ଆଦାୟ ବେଶ୍‌ ସମୟ ଧରି ଚାଲିଥିବା ଦେଖାଯାଇଥିଲା। କୁହାଯାଉଛି ଯେ ଏହି ହାତୀଟି ସେଇ ନିର୍ଦ୍ଦିଷ୍ଟ ରାସ୍ତାରେ ନିୟମିତ ଠିଆ ହୋଇ ଲୋକଙ୍କଠାରୁ ଫଳମୂଳ ସଂଗ୍ରହ କରୁଛି।