ଫେରାର ହେବାକୁ ଉଦ୍ୟମ ବେଳେ ଧରା ପଡ଼ିଲେ ବ୍ୟବସାୟୀ

ନୂଆଦିଲ୍ଲୀ: ମଦ ଓ ରିଏଲ ଇଷ୍ଟେଟ୍‌ ବ୍ୟବସାୟୀ ଦିବଂଗତ ପଣ୍ଟି ଚଢାଙ୍କ ପୁଅକୁ ଦିଲ୍ଲୀ ବିମାନବନ୍ଦରରୁ ଆଜି ଗିରଫ କରାଯାଇଛି। ସେ ୧୦୦ କୋଟି ଟଙ୍କା ହେରଫେର କରିଥିବା ଘଟଣାରେ ଅଭିଯୁକ୍ତ ଅଛନ୍ତି। ମନପ୍ରୀତ ସିଂହ ଚଢ଼ା ଓରଫ ମଣ୍ଟି ଚଢା ନାମରେ ପରିଚିତ ଏହି ବ୍ୟକ୍ତି ଲୋକଙ୍କୁ ଫ୍ଲାଟ ଯୋଗାଇ ଦେବାକୁ କହି ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ହଡ଼ପ କରିଥିଲେ। ଲୋକମାନେ ବାରମ୍ବାର ଆସି ତାଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ସେ ଫେରାର ହେବାକୁ ଉଦ୍ୟମ କରୁଥିଲେ।

ଅର୍ଥନୀତିକ ଅପରାଧୀ ଶାଖାର ଅତିରିକ୍ତ କମିଶନର ସୁବାସ ଚୌଧୁରୀ କହିଛନ୍ତି, “ମଣ୍ଟି ଥାଇଲ୍ୟାଣ୍ଡ ଖସିଯିବାକୁ ଉଦ୍ୟମ କରୁଥିଲେ। ଏଥିପାଇଁ ସେ ଗତକାଲି ରାତିରୁ ହିଁ ଦିଲ୍ଲୀ ଏୟାରପୋର୍ଟ ପହଞ୍ଚି ଯାଇଥିଲେ। ତେବେ ସେ ପ୍ଲେନରେ ଚଢ଼ିବା ପୂର୍ବରୁ ତାଙ୍କୁ ଦିଲ୍ଲୀ ପୁଲିସ୍‌ର ଅର୍ଥନୀତିକ ଅପରାଧୀ ଶାଖା ଗିରଫ କରିଛି। ତାଙ୍କ ନାଁରେ ପୂର୍ବରୁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଥିଲା।

ଏଥିପାଇଁ ସେ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ସେଠାରେ ଥିବା ସୁରକ୍ଷାକର୍ମୀ ଏବଂ କର୍ମଚାରୀ ଏ ସମ୍ପର୍କରେ ଆମକୁ ଖବର ଦେଇଥିଲେ। ମଣ୍ଟି ଉପ୍ପାଲ-ଚଢା ହାଇଟେକ ଡେଭଲର୍ପସ ପ୍ରାଇଭେଟ୍‌ ଲିଃର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଦିଲ୍ଲୀର ଗାଜିଆବାଦରେ ଲୋକଙ୍କୁ ଫ୍ଲାଟ ଦେବା ନାଁରେ ସେ ପ୍ରାୟ ୧୦୦ କୋଟି ଟଙ୍କା ନେଇଥିଲେ। ହେଲେ ଏହାକୁ ସେ ଫେରସ୍ତ କରି ନଥିଲେ।”

ପଣ୍ଟି ଚଢା ଜଣେ ବଡ଼ ମଦ ବ୍ୟବସାୟୀ ଥିଲେ। ୬ ବର୍ଷ ତଳେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।