ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସି ଖବର: ୨୦୧୭-୧୮ ବର୍ଷ ପାଇଁ ଇପିଏଫ୍‌ଓ ଦେଇପାରେ ୮.୬୫ ସୁଧ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସି ଖବର ଆଣିପାରେ। ୨୦୧୭-୧୮ ଆର୍ଥିକ ବର୍ଷରେ ଇପିଏଫ୍‌ଓ ପ୍ରାୟ ୫ କୋଟି ସଦସ୍ୟଙ୍କ ଭବିଷ୍ୟ ନିଧି ଜମା ପରେ ୮.୬୫ ପ୍ରତିଶତ ସୁଧ ବୃଦ୍ଧି କରିପାରେ। ଚଳିତ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ସୁଧ ଦର ବନାଇ ରଖିବା ପାଇଁ ଇପିଏଫ୍‌ଓ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ (ଇଟିଏଫ୍‌)ରେ ନିଜ ନିବେଶର ଏକ ଅଂଶ ଚଳିତ ମାସ ୨୮୮୬ କୋଟି ଟଙ୍କାରେ ବିକ୍ରି କରିଦେଇଛି।

ସୂତ୍ରରୁ ଜଣାପଡିଛି, ଇପିଏଫ୍‌ଓ ୨୦୧୬-୧୭ ବର୍ଷର ଜମା ଉପରେ ଏହି ସୁଧ ଘୋଷଣା କରିଥିଲା। ଗତ ୨୦୧୫-୧୬ ବର୍ଷରେ ଇପିଏଫ୍‌ଓ ୮.୮୦ ପ୍ରତିଶତ ସୁଧ ଦେଇଥିଲା। ଇଟିଏଫ୍‌ରେ ନିଜ ଅଂଶଧନ ବିକ୍ରି କରି ଇପିଏଫ୍‌ଓ ଚଳିତମାସ ୧୦୫୪ କୋଟି ଟଙ୍କା ଆୟ କରିଛି। ଏହାକୁ ଇପିଏଫ୍‌ଓ ତା’ର ପିଏଫ୍‌ ଖାତାଧାରୀଙ୍କୁ ୮.୬୫ ପ୍ରତିଶତ ସୁଧ ଦେଇପାରିବ।