କମିଲା ଇଏସ୍‌ଆଇ ବୀମାରେ କଣ୍ଟ୍ରିବ୍ୟୁସନ୍‌ ହାର, ୩.୬ କୋଟି କର୍ମଚାରୀ ହେବେ ଉପକୃତ

ନୂଆଦିଲ୍ଲୀ:ଗୁରୁବାର ଇଏସ୍‌ଆଇ ବୀମାରେ ଯୋଗଦାନ ବା କଣ୍ଟ୍ରିବ୍ୟୁସନ୍‌ ହାର ୬.୫%ରୁ ୪%କୁ କମ୍‌ କରି ଦିଆଯାଇଛି। ଏହି କ୍ରମରେ ନିଯୁକ୍ତିଦାତାଙ୍କ ଯୋଗଦାନ ମଧ୍ୟ ୪.୭୫%ରୁ ୩.୨୫%କୁ ଖସିଆସିଛି। ସେହିଭଳି କର୍ମଚାରୀଙ୍କ ଯୋଗଦାନ ୧.୭୫%ରୁ ୦.୭୫%କୁ ଖସିଆସିଛି। ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା କମ୍ପାନୀ ଇଏସ୍‌ଆଇରେ ଅଂଶଧନ ଧାଖଲ କରିଥାନ୍ତି ଏବଂ ଏବେ ଉଭୟଙ୍କ ଯୋଗଦାନରେ ହ୍ରାସ କରାଯାଇଛି।

ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଲାଗୁ ହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ୩.୬ କୋଟି କର୍ମଚାରୀ ଏବଂ ୧୨.୮୬ ଲକ୍ଷ ନିଯୁକ୍ତିଦାତାଙ୍କୁ ସିଧାସଳଖ ଫାଇଦା ମିଳିବ। ଯିଏ ମାସିକ ୨୧ ହଜାର ଟଙ୍କାରୁ କମ୍‌ ଦରମା ପାଉଥିବେ ଏବଂ ସର୍ବନିମ୍ନ ୧୦ କର୍ମଚାରୀ ଥିବା କମ୍ପାନୀରେ କାମ କରୁଥିବେ ସେମାନେ ଏହାର ଫାଇଦା ନେଇପାରିବେ।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି, ଇଏସ୍‌ଆଇ ବୀମାରେ ଯୋଗଦାନ ହାରରେ ହ୍ରାସ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ। ଏହା ଇଏସ୍‌ଆଇ ସ୍କିମ୍‌ରେ ଅଧିକରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ିବା ସହ ସଂଗଠିତ କ୍ଷେତ୍ରରେ ଅଧିକ କର୍ମଚାରୀଙ୍କୁ ଯୋଡ଼ିବାରେ ସହାୟକ ହେବ। ଅନ୍ୟପକ୍ଷରେ ନିଯୁକ୍ତି ଦାତା ମାନଙ୍କର ଆର୍ଥିକ ବୋଝ କମାଇବ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, ପ୍ରାୟ ୧୦ ଲକ୍ଷ ନିଯୁକ୍ତିଦାତା କମ୍ପାନୀଙ୍କର ୮ ହଜାର କୋଟିରୁ ୯ ହଜାର କୋଟି ଟଙ୍କା ଯାଏ ବୋଝ କମିଯିବ। ୨୦୧୮-୧୯ରେ ଏହି କମ୍ପାନୀମାନେ ମୋଟ ୨୨,୨୭୯ କୋଟି ଟଙ୍କା ଇଏସ୍‌ଆଇ ଯୋଗଦାନ ବାବଦକୁ ଜମା କରିଥିଲେ। ସେମାନଙ୍କ ଆର୍ଥିକ ବୋଝ ହାଲୁକା ହୋଇଥିବାରୁ ସେମାନେ ଏହି ଅର୍ଥରେ ଅଧିକ କର୍ମଚାରୀ ନିଯୁକ୍ତି ଦେଇପାରିବେ, ଯାହାକି ଗୁଣବତ୍ତା ବୃଦ୍ଧିରେ ସହାୟକ ହେବ।

୧୯୯୭ ମସିହା ଜାନୁଆରୀ ୧ ତାରିଖରେ ଇଏସ୍‌ଆଇ ଆକ୍ଟ ଅଧୀନରେ ଏହି ବୀମା ବ୍ୟବସ୍ଥା ଲାଗୁ ହୋଇଥିଲା। ଏହାର ୨୦ ବର୍ଷ ବା ଦୀର୍ଘ ୨ ଦଶନ୍ଧି ପରେ ଏଥିରେ ପରିବର୍ତ୍ତନ କରାଯାଇଛି। ଏହା କର୍ମଚାରୀଙ୍କ ମାଗଣା ଚିକିତ୍ସା ସୁନିଶ୍ଚିତ କରିବା ସହିତ ଅନ୍ୟାନ୍ୟ ଲାଭ ଦେଇଥାଏ।