ହିନ୍ଦୁ ଦମ୍ପତ୍ତି ଜନ୍ମ କରନ୍ତୁ ଆଠଟି ପିଲା: ଧର୍ମଗୁରୁଙ୍କ ଧମାକେଦାର୍‌ ବୟାନ

ଲକ୍ଷ୍ନୌ: ପୁଣି ଜଣେ ହିନ୍ଦୁ ଧର୍ମଗୁରୁଙ୍କ ବିବାଦୀୟ ବୟାନ।  ସ୍ୱାମୀ ପ୍ରବୁଦ୍ଧା ନନ୍ଦ ଗିରି ନାମକ ଜଣେ ସାଧୁଙ୍କ କହିବା ଅନୁଯାୟୀ ହିନ୍ଦୁ ଧର୍ମର ସୁରକ୍ଷା ଲାଗି ହିନ୍ଦୁ ଦମ୍ପତ୍ତିମାନେ ୮ଟି ପିଲା ଜନ୍ମ କରିବା ଆବଶ୍ୟକ।ଉତ୍ତରପ୍ରଦେଶର  ଲଖିପୁରରେ ଏକ କାର୍ଯ୍ୟକ୍ରମରେ ପ୍ରବୁଦ୍ଧା ନନ୍ଦ ଯୋଗଦେଇ ଏଭଳି ବିତର୍କିତ ବୟାନ ଦେଇଛନ୍ତି। ସନାତନ ଧର୍ମ ମହାସଂଘର ରାଷ୍ଟ୍ରୀୟ ସଭାପତି  ଥିବା ସ୍ୱାମୀ ପ୍ରବୁଦ୍ଧା ନନ୍ଦ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ହିନ୍ଦୁଧର୍ମ ଅତ୍ୟନ୍ତ ସଙ୍କଟାପନ୍ନ ସ୍ଥିତି ଦେଇ ଗତି କରୁଛି।  ଦିନକୁ  ଦିନ ଏହି ଧର୍ମ ପ୍ରତି ବିପଦ ବଢୁଛି। ଏହାର ସୁରକ୍ଷା ପାଇଁ ସବୁ ହିନ୍ଦୁମାନେ ଜାଗ୍ରତ ହେବାକୁ ପଡିବ।  ଏଥିପାଇଁ ହିନ୍ଦୁ ଦମ୍ପତ୍ତିମାନେ ‘ଆମେ ଦୁଇ ଆମର ୮’ ନୀତିକୁ  ଅନୁସରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।  ଏହି ଅବସରରେ ସେ ଉତ୍ତରରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ। ୟୁପିରେ ଆଦିତ୍ୟନାଥ ଗୋ ହତ୍ୟା ଉପରେ ରୋକ୍‌ ଲଗାଇଥିବାରୁ ସ୍ୱାମୀ ପ୍ରବୁଦ୍ଧାନନ୍ଦ ତାଙ୍କୁ ସମର୍ଥନ ଜଣାଇ ଥିଲେ।  ପୂର୍ବରୁ ବିଜେପି ସାଂସଦ ତଥା ସନ୍ଥ ସାକ୍ଷୀ ମହାରାଜ୍‌ ଏମିତି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ସୀମାରେ  ସୁରକ୍ଷା ପାଇଁ ହିନ୍ଦୁ ଦମ୍ପତ୍ତିମାନେ ୪ଟି ସନ୍ତାନ ଜନ୍ମ କରିବା ଜରୁରୀ ବୋଲି ସେ କହିଥିଲେ।